ଖଣ୍ଡପଡାରେ ପ୍ରତିଷ୍ଠା ହେବ ବିଦୁ୍ୟତ ଗ୍ରୀଡ୍

 ଖଣ୍ଡପଡ଼ା: ଖଣ୍ଡପଡ଼ାରେ ବିଦୁ୍ୟତ ଗ୍ରୀଡ ପ୍ରତିଷ୍ଠାକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିବା ବେଳେ, ଏ ଦିଗରେ ଅଣ୍ଟା ଭିଡିଛନ୍ତି ବିଦୁ୍ୟତ୍ ବିତରଣ କମ୍ପାନୀ ଟାଟା ପାୱାର କର୍ତ୍ତୃପକ୍ଷ । ଏକ ବିଦୁ୍ୟତ ଗ୍ରୀଡର ଆବଶ୍ୟକତା ନେଇ କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କ ସଂସ୍ଥା ଓପିଟିସିଏଲକୁ ଚିଠି ଲେଖାଯିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଫଳରେ ଖଣ୍ଡପଡା ନିର୍ବାଚନମଣ୍ଡଳୀରେ ଶକ୍ତି ସଙ୍କଟ ନେଇ ବର୍ଷବର୍ଷ ଧରି ଦେଖାଦେଇଥିବା ସମସ୍ୟା ଏବେ ଦୂର ହେବାକୁ ଯାଉଛି । ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଏ ସଂର୍ପକିତ ସୂଚନା ଦେବା ସହ ଶକ୍ତି ବିଭାଗ ସହ ଯୋଗାଯୋଗରେ ଥିବା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୭ ବର୍ଷ ପରେ ଖଣ୍ଡପଡାରେ ବିଦୁ୍ୟତ୍ ଗ୍ରୀଡ ନିର୍ମାଣ ନେଇ ଗତବର୍ଷ ଅକ୍ଟୋବରରେ ବାଟ ଫିଟିଥିଲା । ସ୍ଥାନୀୟ ବିଧାୟକ ଶ୍ରୀ ସ୍ୱାଇଁ ରାଜ୍ୟ ସରକାର ବିଦୁ୍ୟତ୍ ଗ୍ରୀଡ ନିର୍ମାଣ ଦାବିକୁ ଗୁରୁତ୍ୱର ସହ ବିଚାର କରିବା ପରେ ଏଥିନିମନ୍ତେ ତତ୍ପରତା ଦେଖାଇଛି । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଶାସନ ସଚିବ ଓ ସ୍ଥାନୀୟ ବିଧାୟକଙ୍କ ସହ ଲୋକସେବା ଭବନରେ ଏ ସମ୍ପକରେ ଏକ ସମୀକ୍ଷା ବୈଠକ କରିଥିଲେ । ଖଣ୍ଡପଡାରେ ୨୨୦/୩୩ କେଭି ବିଦୁ୍ୟତ୍ ଗ୍ରୀଡ ସ୍ଥାପନ ନିମନ୍ତେ ସରକାର ଗୁରୁତ୍ୱ ଦେଉଥିବା ନେଇ ସେ ସୂଚନା ଦେବା ସହ ଗ୍ରୀଡ ପ୍ରତିଷ୍ଠା ନିମନ୍ତେ  ୮୦ କୋଟି ଟଙ୍କାର ଅନୁଦାନ ଅର୍ଥ ମଞ୍ଜୁର ହୋଇଥିବା ନେଇ ବିଧାୟକ ପ୍ରକାଶ କରିଛନ୍ତି ।