ଗୋଚର ଜମି ଜବରଦଖଲ ଉଚ୍ଛେଦ ଦାବି
ନିଆଳି: ନିଆଳି ତହସିଲ୍ ଅନ୍ତର୍ଗତ ବିଳାସୁଣୀ ଗ୍ରାମର ଗୋଚର ଜମିରେ ଜବରଦଖଲ କରି ଘର ନିର୍ମାଣ କରାଯାଉଥିବାରୁ ମେଳଣ ପଡିଆ ସଂକୋଚନ ହେବା ସହ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ । ଯାହାକୁ ନେଇ ଗ୍ରାମବାସୀ ତହସିଲ୍ଦାର୍ଙ୍କୁ ଭେଟି ଅଭିଯୋଗ କରିଥିଲେ । ଏମିତିକି କୋର୍ଟରେ ମାମଲା ରୁଜୁ କରି ଉଚ୍ଛେଦ ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଥିଲା । ଜିଲ୍ଲାପାଳଙ୍କ ଜନଶୁଣାଣୀରେ ମଧ୍ୟ ଜିଲ୍ଲାପାଳ ଉଚ୍ଛେଦ କରିବା ନିମନ୍ତେ ଗତ ଅଗଷ୍ଟ ୨୦ରେ ନିଦେ୍ର୍ଦଶ ଦେଇଥିଲେ । ଏସବୁ ସତ୍ତ୍ୱେ ଉଚ୍ଛେଦ ହୋଇନଥିବାରୁ ଆଜି ବିଳାସୁଣୀ ଗ୍ରାମବାସୀମାନେ ତହସିଲ୍ଦାର୍ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ଏକ ସପ୍ତାହ ମଧ୍ୟରେ ଉଚ୍ଛେଦ ନ ହେଲେ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ତହସିଲ୍ଦାର୍ ଲେଲିନ୍ ପ୍ରସାଦ ସାହୁଙ୍କୁ ପଚାରିବାରେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ମିହିର ବସ୍ତିଆ, ବିଷ୍ଣୁ ଚରଣ ଡାଳୁଆ, ଦୀପକ ଦାସ, ଅକ୍ଷୟ ବିଶ୍ୱାଳ, ଦୁର୍ଯେ୍ୟାଧନ ଜେନା, ପଦ୍ମନାଭ ଦାସ, ବୁଲୁ ବେହେରା, ବିଶ୍ୱନାଥ ଭୋଇ, ତାରାଚାନ୍ଦା ସେନାପତି, ପୃଥି ରଞ୍ଜନ ତି୍ରପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।