ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭାରମ୍ଭ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭାରମ୍ଭ
  • ବିକଶିତ ଓଡିଶା ପାଇଁ ମାଇଲଖୁଣ୍ଟ : ମୋହନ

  • ୩୦ ଜିଲ୍ଲାର ୧୧୮ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ

  • ୨୨୦୦ ବିଦ୍ୟାଳୟ ପାଇଁ ୧୨ ହଜାର କୋଟି 


ଭୁବନେଶ୍ୱର : ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା । ଏହି ପରିକଳ୍ପନାରେ ଆଜି ଶୁଭାରମ୍ଭ ହୋଇଛି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ଆଜିର ବିଦ୍ୟାର୍ଥୀମାନେ ହେଲେ ଆସନ୍ତା କାଲିର ନାଗରିକ ଓ ରାଷ୍ଟ୍ର ନିର୍ମାତା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ବିଦ୍ୟାର୍ଥୀମାନଙ୍କ ପାଠପଢ଼ାର ମୂଳଦୁଆକୁ ସଶକ୍ତ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଏହା ଏକ ମାଇଲଖୁଣ୍ଟ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣପୁର ଠାରେ ରାଜ୍ୟସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ୩୦ଟି ଜିଲ୍ଲାପାଇଁ ୧୧୮ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି । 


   ସୂଚନାଯୋଗ୍ୟଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚରେ ଆସନ୍ତା ୪ ବର୍ଷରେ ରାଜ୍ୟର ଗ୍ରାମପଞ୍ଚାୟତଗୁଡିକରେ ୨୨ ଶହ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରରେ ଥିଲେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଲେଖକ ଓ ଶିକ୍ଷାବିତ୍‌। ତାଙ୍କ ନାମରେ ନାମିତ ଏହି ଆଦର୍ଶ ବିଦ୍ୟାଳୟ ଯୋଜନା ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର କାୟାକଳ୍ପ କରିବାରେ ସଫଳ ହେବ । ଏହି ଯୋଜନାରେ ପିଲାମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ମିଳିବା ସହିତ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ସୁଦୃଢ ହେବ । ସେ ପୁଣି କହିଥିଲେ ଏଭଳି ଏକ ମହତ୍ତ୍ୱକାଂକ୍ଷୀ ଯୋଜନା ଆରମ୍ଭ କରିବା ପାଇଁ ମୁଁ ବହୁ ବର୍ଷ ଆଗରୁ ଉଦ୍ୟମ ଆରମ୍ଭ କରିଥିଲି । ଆମ ସରକାର ଆସିବା ପରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଏହି ଯୋଜନାକୁ ପ୍ରାଥମିକତା ଦିଆଯାଇଥିଲା । ଚଳିତ ବର୍ଷ ବଜେଟରେ ଏହାର କାର୍ଯ୍ୟକାରିତା ପାଇଁ ୩ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି ।


  ଏହି ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରାଯିବ । ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷା ଦିଆଯିବ । ଏହାଦ୍ୱାରା ଶିକ୍ଷାର ବାତାବରଣ ସୁଦୃଢ ହେବା ସହିତ ପିଲାମାନେ ସର୍ବୋତ୍ତମ ଏବଂ ଗୁଣାତ୍ମକ ମାନର ଶିକ୍ଷା ପାଇପାରିବେ । ଆଜି ରାଜ୍ୟର ୩୦ଟି ଜିଲ୍ଲା ପାଇଁ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ରାଜ୍ୟର ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ, ଏହି ଯୋଜନାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦକ୍ଷତା ଏବଂ ଅଭିଜ୍ଞତା କିପରି ବୃଦ୍ଧି ପାଇବ ଏଥିପାଇଁ ଆମ ସରକାର ପ୍ରଶିକ୍ଷଣ ଏବଂ ବୃତ୍ତିଗତ ବିକାଶ, ମେଣ୍ଟରସିପ, କ୍ୟାରିଅର ପରାମର୍ଶ ଆଦି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଯୋଜନାର ଆଭିମୁଖ୍ୟ ଦେଖି ଅନେକ ରାଜ୍ୟ ମଧ୍ୟ ଏହାକୁ ମଡେଲ ଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ସେ କହିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ରଖି କହିଲେଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ରାଜ୍ୟରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବ । ଏହି ଯୋଜନା ମୁଖ୍ୟମନ୍ତ୍ରୀଙ୍କର ମାନସ ପ୍ରସ୍ତୁତ ଯୋଜନା । ରାଜ୍ୟରେ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ତାରତମ୍ୟ ପରିଲକ୍ଷିତ ହେଉଛି ଏହି ଯୋଜନା ତାକୁ ଦୂର କରିବ । 


    ପୂର୍ତ୍ତ, ଆଇନ୍‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେଯେ, ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଏହା ଏକ ବଡ଼ ପଦକ୍ଷେପ । ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ନଦେଲେ ପରବର୍ତ୍ତୀ ଶିକ୍ଷା ଦୁର୍ବଳ ହେବ । ଏହାକୁ ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏହି ଯୋଜନା ପରିକଳ୍ପନା କରିଛନ୍ତି । ଜଣେ ଶିକ୍ଷକ ମନରେ ସ୍ୱପ୍ନ ଥାଏ ଛାତ୍ରର ଉତ୍ତମ ଭବିଷ୍ୟତ । ବୋଧହୁଏ ପୂର୍ବରୁ ଶିକ୍ଷକ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ମନ ଭିତରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ସୁଦୃଢ ଭବିଷ୍ୟତ ନିର୍ମାଣ ପାଇଁ ଏହି ଭାବନା ଆସିଥିଲା । ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର କହିଥିଲେଯେ, ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ପିଏମ୍‌ ଶ୍ରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ । ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ତାଙ୍କର ସ୍ୱାଗତ ଭାଷଣରେ କହିଥିଲେଯେ, ଶିକ୍ଷା ହିଁ ସମାଜରେ ପରିବର୍ତ୍ତନ ଆଣିପାରିବ । ପଣ୍ଡିତ ଗୋଦାବରୀଶଙ୍କର ଏହି ମହତ ଭାବନାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗୀର, କେନ୍ଦୁଝର, ନବରଙ୍ଗପୁର ଏବଂ ପୁରୀ ଜିଲ୍ଲାରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମୁଖ୍ୟମନ୍ତ୍ରୀଙ୍କର ଏହି ମହତ୍ତ୍ୱକାଂକ୍ଷୀ ଯୋଜନା ପାଇଁ ଆଭାସି ଜରିଆରେ ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବିଧାୟକ ସର୍ବଶ୍ରୀ ପ୍ରଶାନ୍ତ ଜଗଦ୍ଦେବ, ବିଭୂତି ବଳବନ୍ତରାୟ, ପ୍ରଦୀପ ସାହୁ, ବାବୁ ସିଂ, ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ ଓ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍‌ ରୁତୁରାଜ ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ ଥିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।