ପୁରୀରେ ହେବ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ : ଲୋଗୋ ଓ ୱେବ୍ସାଇଟ ଉନ୍ମୋଚିତ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ମାସ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ପୁରୀ ଠାରେ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ ୨୦୨୫ ଆୟୋଜିତ ହେବାକୁ ଯାଉଛି । ପ୍ରକୃତି ଏବଂ ନବସୃଜନ ମଧ୍ୟରେ ସମନ୍ୱୟର ପ୍ରତୀକ ସ୍ୱରୂପ ଏହି କାର୍ଯ୍ୟକ୍ରମର ଲୋଗୋ ଆଜି କେନ୍ଦ୍ର ଶକ୍ତି ଏବଂ ନବୀନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ, କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ (ଶକ୍ତି, କୃଷି ଏବଂ କୃଷକ ସଶକ୍ତିକରଣ), ଓଡ଼ିଶାଙ୍କ ଦ୍ୱାରା ଆଜି ନୂଆଦିଲ୍ଲୀ ଠାରେ ଉନ୍ମୋଚିତ ହୋଇଛି । ଏତଦବ୍ୟତୀତ ଏହି ସମ୍ମିଳନୀ ପାଇଁ ଏକ ୱେବସାଇଟ୍ ଡବ୍ଲ୍ୟୁଡବ୍ଲ୍ୟୁବ୍ଲ୍ୟୁ. ଜିଏଲଇଏସ ଓଡିଶା୨୦୨୫.କମ ମଧ୍ୟ ଉନ୍ମୋଚିତ ହୋଇଛି । ସମ୍ମିଳନୀର ବିଷୟବସ୍ତୁ ହେଉଛି "ଭାରତକୁ ଶକ୍ତି ପ୍ରଦାନ: ପର୍ଯ୍ୟାପ୍ତ, ସନ୍ତୁଳନ ଓ ନବସୃଜନ’ । ଗ୍ଲୋବାଲ ଏନର୍ଜି ଲିର୍ଡରସ ସମ୍ମିଳନୀ ଭାରତର ସହଭାଗୀ ଶକ୍ତି ଭବିଷ୍ୟତକୁ ଆଗେଇ ନେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ଶକ୍ତି ମନ୍ତ୍ରୀ ଓ ସଚିବ, ନୀତି ନିର୍ଦ୍ଧାରକ, ଉଦ୍ଭାବକ, ଗବେଷକ ଏବଂ ଶିଳ୍ପ ନେତାମାନଙ୍କୁ ଏକତ୍ରିତ କରିବ ।
ଏହି ଶିଖର ସମ୍ମିଳନୀ ବିଭିନ୍ନ ରାଜ୍ୟର ଶକ୍ତି ନେତାମାନଙ୍କ ସହିତ ଜାତୀୟ ଏବଂ ବିଶ୍ୱସ୍ତରୀୟ ନେତାମାନଙ୍କ ମଧ୍ୟରେ ଆଲୋଚନା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଏହା ଭାରତର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ସହିତ ଯୋଗାଣର ନିର୍ଭରଯୋଗ୍ୟତା ଏବଂ ସୁରକ୍ଷାକୁ ସୁଦୃଢ଼ କରିବ, ପରିବେଶଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖିବା ସହିତ ଆପତ୍ତିବିହୀନ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । କେନ୍ଦ୍ର ଶକ୍ତି ଏବଂ ନୂତନ ଏବଂ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ ଓଡ଼ିଶାର ଏହି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି ଯେ "ପର୍ଯ୍ୟାପ୍ତ ଶକ୍ତି ଯୋଗାଣ କେବଳ ଚାହିଦା ପୂରଣ କରିବାରେ ସୀମିତ ନୁହେଁ ବରଂ ନିର୍ଭରଯୋଗ୍ୟ ଓ ସ୍ଥିରତା ସୁନିଶ୍ଚିତ କରିବା ମଧ୍ୟ ଆବଶ୍ୟକ । ମାଲେସିଆ, ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ଭୁଟାନ ଭଳି ଅନ୍ୟ ଦେଶର ଶକ୍ତି ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି ଏବଂ ସେମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି । ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କାନପୁର ସହିତ ସହଭାଗୀତାରେ ଏହି ଉଚ୍ଚ ପ୍ରଭାବଶାଳୀ ସମ୍ମିଳନୀ ଆୟୋଜିତ ହେଉଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଗ୍ଲୋବାଲ୍ ଏନର୍ଜି ଲିଡର୍ସ ଶିଖର ସମ୍ମିଳନୀ ୨୦୨୫ ପରିଚାଳନା ହେଉଛି । କେବଳ ଆଲୋଚନାରେ ସୀମିତ ନ ରହି ପ୍ରତ୍ୟେକ ଅଧିବେଶନ ସ୍ଥାୟୀ ରୋଡମ୍ୟାପ୍ ପ୍ରସ୍ତୁତି ଓ ନୀତି ନିର୍ଦ୍ଧାରଣ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।