ଘଣ୍ଟପଡ଼ାବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଣ ଦାବି

ତାଳଚେର : ତାଳଚେର ଜନସାଧାରଣଙ୍କ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଧାନସଭାର ଷ୍ଟାଣ୍ଡିଂ କମିଟି(ଭି)ର ଅଧ୍ୟକ୍ଷ ତଥା ପର୍ଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଦୂଷିତ ଅଞ୍ଚଳବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଏବଂ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଘଣ୍ଟପଡା ସରପଞ୍ଚ ଶସ୍ମିତା ବିଶ୍ୱାଳ, ନାଏବ ସରପଞ୍ଚ ରାଜୀବ ଦାସଙ୍କ ସମେତ ଅନ୍ୟମାନେ ପ୍ରମୁଖ ଏହି ଦାବି କରିଛନ୍ତି ।
ସୂଚନାଯୋଗ୍ୟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ଏମସିଏଲ ସିଏସଆର ପାଣ୍ଠି ବିନିଯୋଗରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଭିତିଭୂମି ସ୍ଥାପନ ହୋଇଛି । ଦୀର୍ଘ ଦିନ ହେବ ସରକାର ଏହି କାର୍ଯ୍ୟ ହାତକୁ ନେବା ପରେ ମଧ୍ୟ ତାଳଚେରବାସୀ ଓପିଡିରେ ସ୍ୱାସ୍ଥ୍ୟ ସେବା ପାଇପାରି ନାହାନ୍ତି । ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତର ସାଙ୍ଗକୁ ଟେକ୍ନିସିଆନ ଅଭାବ ହେତୁ ତାଳଚେର ସମେତ ପରଜଙ୍ଗ, କାମାକ୍ଷାନଗର, ପାଳଲହଡା ତଥା ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇ ପାରୁନାହାନ୍ତି । ଏଣୁ ଉକ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ଲାଗି ଆଜି ପଞ୍ଚାବାସୀଙ୍କ ପକ୍ଷରୁ ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।