ଇଟା ଭାଟି ଭାଙ୍ଗିବାରେ ତହସିଲର ପକ୍ଷପାତିତା : ସମସ୍ତଙ୍କ ପାଇଁ ସମାନ ନିୟମ ନ ହେଲେ ନେବେ କୋର୍ଟର ଆଶ୍ରୟ
କାକଟପୁର : କାକଟପୁର ତହସିଲ ଅଧିନରେ ଥିବା ୫ଟି ଆରଆଇ ସର୍କଲରେ ଏବେ ଶହ ଶହ ଇଟା ଭାଟି ଦିନ ରାତି ଜଳୁଛି । ଇଟା ଭାଟିରୁ ନିର୍ଗତ ଧୂଆଁରେ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିବେଶ ପ୍ରଦୂଷଣକାରୀ ପୋଡା ଇଟାକୁ ନ୍ୟାସନାଲ୍ ଗ୍ରୀନ ଟ୍ରିବୁ୍ୟନାଲ ସଂପୂର୍ଣ୍ଣ ଭାବେ ବେଆଇନ ବୋଲି ଘୋଷଣା କରିବା ସହିତ ଏହା ଉପରେ ରୋକ ଲଗାଇବାକୁ ପ୍ରଶାସନକୁ କଡା ନିଦେ୍ର୍ଦଶଦେଇଛନ୍ତି । କିନ୍ତୁ କାକଟପୁର ତହସିଲ ଅଞ୍ଚଳରେ ଏହାର ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । କାକଟପୁର ତହସିଲ ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲଜମି, ଗୋଚର, ଠାକୁରଙ୍କ ସମ୍ପତ୍ତି, ଅନାବାଦୀ ଜମି ସମେତ ଗ୍ରାମ୍ୟ ଜଙ୍ଗଲ, ନଦୀପଠା, ଜନବସତି ଅଞ୍ଚଳ ସହ କେତେକ ବ୍ୟକ୍ତିଙ୍କ ସ୍ଥିତିବାନ ଧାନ ଜମିରେ ଏକାଧିକ ଇଟା ଭାଟି କରିଛନ୍ତି । ଯେଉଁଠି ଦେଖିବ ସେଠି ପାହାଡ଼ ଭଳି ମାଟି ଗଦାହୋଇଛି । ଅଞ୍ଚଳରେ ଶହ ଶହ ସଂଖ୍ୟାରେ ଇଟାଭାଟି ଗଢି ଉଠି ଥିବା ବେଳେ, ସେଥିମଧ୍ୟରୁ କାକଟପୁର ତହସିଲ ଅଧିନସ୍ଥ ଲତାହରଣ ଆରଆଇ ସର୍କଲ ଅଧିନରେ ଥିବା ବାଉରିଆକଣ ଓ ଲତାହରଣ ୨ଟି ମୌଜାର ୨ ଟି ଇଟା ଭାଟି ଉପରେ କାକଟପୁର ତହସିଲ ପ୍ରଶାସନ ଜେସିବି ମେସିନ ଓ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ଗତ ୨ ଦିନ ତଳେ ପାଣି ମାଡ଼କରି କଞ୍ଚା ଓ ପୋଡା ଇଟାକୁ ଭାଙ୍ଗିବା ଘଟଣାକୁ ନେଇ ତହସିଲ ପ୍ରଶାସନର ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସରକାରୀ ନିୟମ ଅନୁଯାଇ କାକଟପୁର ତହସିଲ ପ୍ରଶାସନ ବେଆଇନ ଇଟା ଭାଟିକୁ ଭାଙ୍ଗିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଏହି ଆଇନ, ଅଞ୍ଚଳରେ ଅନ୍ୟ ସବୁ ଇଟାଭାଟିରେ କାହିଁକି ଲାଗୁ କରାଯାଉନାହିଁ । ସବୁ ଇଟା ଭାଟି ମାଲିକଙ୍କୁ କାକଟପୁର ତହସିଲ ପ୍ରଶାସନ ଖୋଲା ଛାଡି ଦେଇଥିବା ବେଳେ, କେବଳ ଏହି ୨ ଜଣଙ୍କ ଇଟା ଭାଟି ମାଲିକଙ୍କ କଞ୍ଚା ଓ ପୋଡା ଇଟାକୁ ନଷ୍ଟ କରିବା ପଛରେ କି ସ୍ୱାର୍ଥ ରହିଛି । ଯଦି ତହସିଲ ପ୍ରଶାସନ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାଇ ଏଭଳି ପଦକ୍ଷେପ ୨ ଟି ଇଟା ଭାଟି ଉପରେ ଗ୍ରହଣ କରିଛି ତେବେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରାରେ ବାଲି ମାଟି ଚାଲାଣ ବେଳେ ଏବଂ ଜନବସତିରେ ବେଆଇନ ଇଟା ଭାଟିକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଏକାଧିକବାର ତହସିଲରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ବାବଦରେ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପଚାରିଲେ କିଛି ଉତ୍ତର ମିଳୁନାହିଁ । ।କଟପୁର ତହସିଲ ଅଧିନରେ ଥିବା ୫ ଗୋଟି ଆରଆଇ ସର୍କଲରେ ବହୁ ପ୍ରଜାଙ୍କ ଉପରେ ବର୍ଷ ବର୍ଷ ଧରି ହଜାର ହଜାର ଟଙ୍କାର ଖଜଣା ବାକିଆ ପଡିଥିଲେ ସୁଦ୍ଧା ସେଗୁଡିକ ଆଦାୟ କରାଯାଉ ନ ଥିବା ବେଳେ, ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷରେ କାକଟପୁର ତହସିଲ କାର୍ଯ୍ୟାଳୟ ତାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ଅଞ୍ଚଳରେ ଚୋରା ବାଲି ମାଟି ଚାଲାଣରୁ ଏବଂ ବେଆଇନ ଇଟାଭାଟିରୁ ଆଦାୟ କରୁଥିବା ଫାଇନ ଅର୍ଥରୁ ଅଧାରୁ ଅଧିକ ଟଙ୍କା କର୍ମଚାରୀ ଚଳୁ କରି ଅବଶିଷ୍ଟ ଅର୍ଥକୁ ଜୋରିମାନା ବାବଦରେ ଆଦାୟ ହୋଇଛି ବୋଲି କାଗଜପତ୍ରରେ ସଫେଇ ଦେଇଥାନ୍ତି । ବାଲି କେଉଁଠି କେତେବେଳେ ଉଠିବ, କେତେ ପରିମାଣର ଉଠିବ, କାହା ଜେସିବି ମାଟି ଖୋଳିବ, ମାଟି ଓ ବାଲି ବୁହା କାର୍ଯ୍ୟରେ କେତେଟା ଟ୍ରାକ୍ଟର ନିୟୋଜିତ ହେବ ଏନେଇ ଆଗୁଆ ବାଲି ମାଟି ମାଫିଆଙ୍କ ସହିତ ରାଜସ୍ୱ ବିଭାଗ କର୍ମଚାରୀମାନେ ମାଫିଆଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଗୁଆ ନେବା ପରେ ମାଫିଆଙ୍କୁ ବାଟ ବତାଇଥାନ୍ତି । ତେଣୁ ଏହାକୁ ଠିକ୍ ବାଟରେ ଆଣିବା ପାଇଁ ରାଜ୍ୟ ସରକାରଙ୍କ ସହ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ଅନ୍ୟପକ୍ଷରେ ବାଉରିଆକଣ ଓ ଲତାହରଣ ଗ୍ରାମର ଇଟା ଭାଟି ଭାଙ୍ଗିବା ଭଳି ଯଦି ଏହି ତହସିଲ ଅଧିନସ୍ଥ ଅନ୍ୟ ସ୍ଥାନରେ ଥିବା ବେଆଇନ ଇଟା ଭାଟି ଗୁଡିକ ଭଙ୍ଗା ନଯାଏ ତେବେ କାକଟପୁର ତହସିଲର ଏହି ପକ୍ଷପାତିତାକୁ ନେଇ ଉଚ୍ଚ ନ୍ୟାୟଳୟର ଆଶ୍ରୟ ନିଆଯିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।