ଘରକୁ ଫେରିଲେ ସୈଫ୍

 ଭୁବନେଶ୍ୱର: ମୁମ୍ବାଇ ଲୀଳାବତୀ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ । ଛୁରାମାଡ଼ରେ ଗୁରୁତର ହୋଇ ଦୀର୍ଘ ୬ ଦିନ ଧରି ସେ ମେଡିକାଲ୍ରେ  ଚିକିତ୍ସାଧୀନ ଥିଲେ  । ସେ ସୁସ୍ଥ ଥିବାରୁ ଆଜି ପୂର୍ବାହ୍ଣ ୧୦ଟାରୁ ୧୨ଟା ମଧ୍ୟରେ ତାଙ୍କୁ ମେଡିକାଲ୍ରୁ ଡିସ୍ଚାର୍ଜ କରାଯାଇଥିବା ଡାକ୍ତର ନିତିନ୍ ଡାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  । ସୈଫ୍ ମେଡିକାଲ୍ରୁ ଡିସ୍ଚାର୍ଜ ସମୟରେ ତାଙ୍କ ସହିତ ତାଙ୍କ ମା’ ଶର୍ମିଲା ଟାଗୋର, ପତ୍ନୀ କରିନା କପୁର୍ ଖାନ୍ଙ୍କ ସମେତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟଯେ, ଗତ ୧୬ ତାରିଖ ମଧ୍ୟରାତ୍ରରେ ବାଂଲାଦେଶୀୟ ଯୁବକ ମହମ୍ମଦ ସରିଫୁଲ୍ ସେହଜାଦ ସିଡ଼ି ପଟେ ସୈଫ୍ଙ୍କ ଘରେ ପ୍ରବେଶ କରି ସୈଫ୍ଙ୍କ ଠାରୁ ୧ କୋଟି ଟଙ୍କା ଦାବି କରିଥିଲା  । ସୈଫ୍ ଏଥିରେ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଜଣକ ତାଙ୍କୁ ଲଗାତାର ଛୁରୀ ମାଡ଼ କରିଥିଲା ଏବଂ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା  । ଏଥିଯୋଗୁ ସୈଫ୍ଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହେବା ସହ ତାଙ୍କ ପିଠିରେ ଏକ ଛୁରୀ ଖଣ୍ଡ ଲାଗି ରହିଯାଇଥିଲା । ସଙ୍ଗେ ସଙ୍ଗେ ସେ ଏକ ଅଟୋ ଯୋଗେ ଲୀଳାବତୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ବେଳେ ଦୀର୍ଘ ସମୟର ଅସ୍ତ୍ରୋପଚାର ପରେ ଡାକ୍ତରମାନେ ତାଙ୍କ ମେରୁଦଣ୍ଡ ହାଡ଼ ନିକଟରୁ ଅଢ଼େଇ ଇଞ୍ଚର ଏକ ଛୁରୀ  କାଢ଼ିଥିଲେ । ସେହିଦିନ ଠାରୁ ସୈଫ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ । ତେବେ ଏ ଘଟଣାରେ ଦୁର୍ବୃତ୍ତକୁ ପୁଲିସ୍ ଗିରଫ କରି ତଦନ୍ତ ଜାରି ରଖିଛି ।