ଘରେ ପଶୁଛି ବର୍ଷା ଜଳ: ଅସୁବିଧା ଭୋଗୁଛନ୍ତି ଲୋକେ
ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଲିଟିଗୁଡା ଗାଁ ମଝିରେ ବର୍ଷା ଜଳ ଲହଡି ଭାଙ୍ଗୁଛି । ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଏ ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହା ଫଳରେ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି । ଏହି ଗାଁ ର ନାଏକ ସାହି ନିକଟରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି । ପ୍ରତିବର୍ଷ ବର୍ଷା ଋତୁ ସମୟରେ ଲୋକେ ଦର୍ଦ୍ଦଶା ଭୋଗୁଛନ୍ତି । ପ୍ରବଳ ବର୍ଷା ହେଲେ ସାହିରେ ଥିବା ରାସ୍ତା ପାର୍ଶ୍ୱ ଘରକୁ ପାଣି ପଶୁଛି । ହେଲେ ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ ଲିଟିଗୁଡା ପଞ୍ଚାୟତର ଜନସାଧାରଣ ସମେତ ଭରୁଆମୁଣ୍ଡା, ନୂଆପଡା ପଞ୍ଚାୟତର ଜନସାଧାରଣ ଯିବା ଆସିବା କରିଥାନ୍ତି । ଏପରିକି କଲେଜ, ବ୍ୟାଙ୍କ, ହସ୍ପିଟାଲ ସମେତ ଅନେକ କାର୍ଯ୍ୟରେ ଯାଉଥିବା ବେଳେ, ଅଞ୍ଚଳର ଜନସାଧାରଣ ସିଧାସଳଖ କଳାହାଣ୍ଡି ଜିଲ୍ଲାକୁ ଯିବା ଆସିବା କରିଥାନ୍ତି । ଏପରିକି ଅଞ୍ଚଳର ଜନସାଧାରଣ ହାତୀବନ୍ଧା ଉପରେ ଅନେକ ବ୍ୟବସାୟ ତଥା ବଜାର କରିବା ପାଇଁ ସଦାସର୍ବଦା ଯିବା ଆସିବା କରିଥାନ୍ତି । ହେଲେ ଏଭଳି ଏକ ଗୁରୁତ୍ୱ ବହନ କରୁଥିବା ରାସ୍ତା ମଝିରେ ବର୍ଷା ଜଳ ନିସ୍କାସନ ନ ହୋଇ ଜମା ହୋଇ ରହି ପୂତଗନ୍ଧ ସୃଷ୍ଟି ହେଉଛି । ବର୍ତ୍ତମାନ ବର୍ଷା ଋତୁ ସମୟରେ ଅନେକ ମଶା ମାଛି କୀଟ ପତଙ୍ଗ ଯୋଗୁଁ ବିଭିନ୍ନ ରୋଗ ବ୍ୟାପିବାର ଆଶଂକା ରହିଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମର ଜନସାଧାରଣ ମହଲରେ ଦାବି ହେଉଛି ।