ସୁପର ପ୍ରିମିୟମ ବସ୍ ସେବା ଉଦ୍ଘାଟିତ

 ପୁରୀ : ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କୁ ଉନ୍ନତମାନର ବସ୍ ସେବା ଯୋଗାଇଦେବା ଉଦେ୍ଦଶ୍ୟରେ ପୁରୀ ଠାରୁ ତିରୁପତି, ଅଯୋଧ୍ୟା, ଉଜ୍ଜୟିନୀ, ହାଇଦ୍ରାବାଦ ଓ ଭିଲାଇ ପର୍ଯ୍ୟନ୍ତ ସୁପର ପ୍ରିମିୟମ୍ ବସ୍ ସେବା ସହ ଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜ୍ମେଣ୍ଟ ସିଷ୍ଟମର ଶୁଭାରମ୍ଭ ହୋଇଛି । ଶୂନ୍ୟ ଦୁର୍ଘଟଣା ଦିବସ ପାଳିତ ହୋଇଛି । ମାଳତିପାଟପୁର ବସ୍ଷ୍ଟାଣ୍ଡ ଠାରୁ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ବସ୍ ସେବା ଓ ଆଇଇଏମ୍ଏସ୍ର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଯୋଗଦେଇ ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର କହିଥିଲେ ଯେ, ଆମ ସମସ୍ତଙ୍କ ଦାୟିତ୍ୱ ସଡ଼କ ସୁରକ୍ଷା । ସରକାର ଯେଉଁ ପ୍ରତିଶ୍ରୁତି ନିର୍ବାଚନ ବେଳେ ଦେଇଥିଲେ ୧ବର୍ଷ ମଧ୍ୟରେ ପ୍ରାୟ ସବୁ ପ୍ରତିଶ୍ରୁତି ପୁରଣ ହୋଇଛି । ସରକାର ଆଜି ୮ଟି ସୁପର ପି୍ରମିୟମ ବସ୍ ସେବା ଆରମ୍ଭ କରିଛନ୍ତି । ତେବେ ପୁରୀକୁ ଗୁରୁତ୍ୱ ଦେଇ ୫ଟି ବସ୍ ପୁରୀରୁ ଯାଉଛି । ଏହି ବସ୍ ମାଳତିପାଟପୁରରୁ ତିରୁପତି, ଅଯୋଧ୍ୟା, ଉଜ୍ଜୟିନୀ, ହାଇଦ୍ରାବାଦ ଓ ଭିଲାଇକୁ ଯିବ ବୋଲି ଡ଼. ପାତ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ବିନିତ ଅଗ୍ରୱାଲ, ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ, ପୁରୀ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ରନାଥ ତରାଇ ପ୍ରମୁଖ ଯୋଗଦେଇ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଶ୍ରଦ୍ଧାଳୁ ଓ ଯାତ୍ରୀମାନଙ୍କର ଗମନାଗମନ ସୁନ୍ଦର, ସୁଖଦ ଓ ଶୃଙ୍ଖଳିତ ହୋଇପାରିବ ବୋଲି କହିଥିଲେ । ଏହି ଆରାମ ଦାୟକ ବସ୍ ସେବାରେ ମହିଳାଙ୍କ ପାଇଁ ଶତକଡ଼ା ୫୦% ରିହାତି ରହିଛି ।

ଏହି ବସ୍ ମାଳତିପାଟପୁରରୁ ତିରୁପତି, ଅଯୋଧ୍ୟା ଓ ଉଜ୍ଜୟିନୀକୁ ପ୍ରତି ସପ୍ତାହରେ ଥରେ ଯାତାୟାତ କରିବ । ସେହିଭଳି ହଇଦ୍ରାବାଦ ଓ ଭିଲାଇକୁ ଦୈନିକ ବସ୍ ଯିବାଆସିବା କରିବ ବୋଲି ପୁରୀ ପରିବହନ ନିଗମ ମ୍ୟାନେଜର ରଶ୍ମି ସାମଲ ସୂଚନା ଦେଇଥିଲେ । ଅପରପକ୍ଷରେ ଆଇଇଏମ୍ଏସ୍ ବ୍ୟବସ୍ଥା ଦ୍ୱାରା ବେଗ ନିୟନ୍ତ୍ରଣ ସହ ଦୁର୍ଘଟଣାକୁ ପ୍ରତିହତ କରାଯାଇପାରିବ । ପୂର୍ବରୁ ପୁରୀରୁ ଉତରା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ବେଳେ ବର୍ତ୍ତମାନ ପୁରୀରୁ କୋଣାର୍କ ଓ କୋଣାର୍କରୁ ପିପିଲି ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏହି ବ୍ୟବସ୍ଥା ଦ୍ୱାରା ସିସିଟିଭି ମାଧ୍ୟମରେ ନିର୍ଦ୍ଧାରିତ ବେଗ ଠାରୁ ଅଧିକ ଗତିରେ ଗଲେ ତାହାର ଚିହ୍ନଟ କରି ସିଧାସଳଖ ଉଲ୍ଲଂଘନକାରୀଙ୍କ ପାଖକୁ ଚାଲାଣ ପହଞ୍ଚଯିବ ବୋଲି ଆରଟିଓ ରବୀନ ପଟ୍ଟନାୟକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ରାଜସ୍ୱ ଡ଼. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର, ସୂଚନା ଓ ଲୋକସମ୍ପର୍କ ଉପନିଦେ୍ର୍ଦଶକ ସନ୍ତୋଷ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।