ଚନ୍ଦ୍ରଗ୍ରହଣରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳିତ

ପୁରୀ : ଆଜି ଚନ୍ଦ୍ରଗ୍ରହଣ ଯୋଗୁଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳନ କରାଯାଇଛି । ଇନ୍ଦ୍ର, ଗୋବିନ୍ଦ ବନ୍ଦାପନା ସହ ଇନ୍ଦ୍ର ହାତୀ ପ୍ରସ୍ତାବ ଓ ଭାଗବତ ଜନ୍ମ, ରାହୁ ଗ୍ରସ୍ତ ଚନ୍ଦ୍ରଗ୍ରହଣ ନୀତି ପାଳିତ ହୋଇଛି । ପୂର୍ବ ରାତ୍ର ୧୧ଟାରେ ମହାପ୍ରଭୁଙ୍କୁ ପହୁଡ଼ କରାଯାଇ ରାତ୍ର ୨ଟା ୨୦ମିନିଟ୍ରେ ଦ୍ୱାର ଫିଟିଥିଲା । ୨ଟା ୫୦ମିନିଟ୍ରେ ଭିତର ଶୋଧ କରାଯାଇ ୩ଟା ରାତିରେ ମଙ୍ଗଳଆଳତି କରାଯାଇଥିଲା । ୩ଟା ୫ମିନିଟ୍ରେ ମଇଲମ, ୩ଟା ୩୦ମିନିଟ୍ରେ ତଡ଼ପଲାଗି, ୩ଟା ୪୦ମିନିଟ୍ରେ ଅବକାଶ ପୂଜା ଠା, ୩ଟା ୪୫ମିନିଟ୍ରେ ଅବକାଶ ପୂଜା ବସିଥିଲା । ଭୋର ୪ଟାରେ ଅବକାଶ ପୂଜା ଶେଷ ହୋଇଥିଲା । ୪ଟା ୫ମିନିଟ୍ରେ ମଇଲମ, ୪ଟା ୧୦ମିନିଟ୍ରେ ରୋଷ ହୋମ, ୪ଟା ୩୫ମିନିଟ୍ରେ ବେଶ ଶେଷ ହୋଇଥିଲା । ୪ଟା ୫୫ମିନିଟ୍ରେ ସୂର୍ଯ୍ୟ ପୂଜା, ୫ଟା ୧୫ମିନିଟ୍ରେ ଦ୍ୱାରପାଳ ପୂଜା, ୫ଟା ୨୦ମିନିଟ୍ରେ ଗୋପାଳବଲ୍ଲଭ ପୂଜା ଆରମ୍ଭ ହୋଇ ୫ଟା ୩୦ମିନିଟ୍ରେ ଶେଷ ହୋଇଥିଲା । ୫ଟା ୫୫ମିନିଟ୍ରେ ସକାଳଧୂପ ଡ଼ାକିଯାଇଥିଲା । ୬ଟା ୧୫ମିନିଟ୍ରେ ଛେକ ଆସିଥିଲା । ଭୋଗମଣ୍ଡପ ଉଠିବା ପରେ ୬ଟା ୩୦ମିନିଟ୍ରେ ସକାଳଧୂପ ପୂଜା ବସିଥିଲା । ଟେରା ପଡ଼ିଥିଲା ୬ଟା ୫୫ମିନିଟ୍ରେ । ୭ଟା ୧୦ମିନିଟ୍ରେ ସକାଳଧୂପ ଶେଷ ହୋଇଥିଲା । ଭୋଗ ମଣ୍ଡପ ଉଠିଥିଲା ୭ଟା ୧୫ମିନିଟ୍ରେ । ସକାଳଧୂପ ପ୍ରସାଦ ବାହାରି ପାଣି ପଡ଼ିଥିଲା ୭ଟା ୨୦ମିନିଟ୍ରେ । ପୂର୍ବାହ୍ନ ୧୦ଟା ୪୦ମିନିଟ୍ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ବସିଥିଲା ।୧୦ଟା ୫୦ମିନିଟ୍ରେ ଭୋଗମଣ୍ଡପ ଶେଷ ହୋଇଥିଲା । ୧୦ଟା ୫୫ମିନିଟ୍ରେ ମଇଲମ କରାଯାଇ ୧୧ଟା ୨୫ମିନିଟ୍ରେ ବେଶ ଶେଷ ହୋଇଥିଲା । ୧୧ଟା ୩୦ମିନିଟ୍ରେ ସନ୍ଧ୍ୟାଆଳତି ସଂପର୍ଣ୍ଣ ହୋଇଥିଲା । ୧୧ଟା ୪୦ମିନିଟ୍ରେ ଦୋଳଗୋବିନ୍ଦ ଭିତରକୁ ବିଜେ କରିଥିଲେ । ୧୧ଟା ୫୦ମିନିଟ୍ରେ ଆଜ୍ଞାମାଳ ପାଇ ଦୋଳଗୋବିନ୍ଦ ପାଲିଙ୍କିକୁ ଆସିଥିଲେ । ୧୧ଟା ୫୫ମିନିଟ୍ରେ ମଇଲମ କରାଯାଇ ପାଲିଙ୍କି ଉଠିଥିଲା ମଧ୍ୟାହ୍ନ ୧୨ଟାରେ । ୧୨ଟା ୧୦ମିନିଟ୍ରେ ତଡ଼ପଲାଗି କରାଯାଇ ୧୨ଟା ୩୦ମିନିଟ୍ରେ ଇନ୍ଦ୍ର, ଗୋବିନ୍ଦ ବନ୍ଦାପନା ସାରି ଦିଅଁ ବାହୁଡ଼ା ବିଜେ କରିଥିଲେ । ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ମିନିଟ୍ ୨୨ସେକେଣ୍ଡ ପର୍ଯ୍ୟନ୍ତ ରହିଥିବା ବେଳେ ସର୍ବମୋକ୍ଷ ରାତ୍ର ୧ଟା ୨୭ମିନିଟ୍ ୧୭ସେକେଣ୍ଡରେ ହେବ । ଏହାକୁ ଦୃଷ୍ଟିରେ ରଖି ମନ୍ଦିରର ନୀତିକାନ୍ତି ସଂପର୍ଣ୍ଣ କରାଯାଇଛି । ଇନ୍ଦ୍ର, ଗୋବିନ୍ଦ ବନ୍ଦାପନା ନୀତି ପରେ ସନ୍ଧ୍ୟା ଆଳତି କରାଯାଇ ସିଂହଦ୍ୱାର ସମ୍ମୁଖରେ ଇନ୍ଦ୍ରହାତୀ ପ୍ରସ୍ତାବ ନୀତି ଅନୁଷ୍ଠିତ ହୋଇଥିଲା ।