ରାମଚଣ୍ଡୀ ପ୍ରସାଦଙ୍କ ଚଣ୍ଡୀପାଠ : ଶଙ୍ଖପତିଙ୍କ କଟାଘା’ରେ ଶଙ୍ଖୁଆ ଚୁନ

ramachandi prasad ranasingh political satire

ରାମଚଣ୍ଡୀ ପ୍ରସାଦଙ୍କ ଚଣ୍ଡୀପାଠ : ଶଙ୍ଖପତିଙ୍କ କଟାଘା’ରେ ଶଙ୍ଖୁଆ ଚୁନ

ଶଙ୍ଖପତି କି ଅଠା ମାରିଥିଲେ କେଜାଣି ଗୋଟିଏ ଚେୟାରରେ ଦି ଯୁଗ ବସିଥିଲେ  । ଶଙ୍ଖ ଭଳିଆ ତାଙ୍କ ହାର୍ଟ ଆଉ ମାଇଣ୍ଡ ପୂରା ଟାଣ ଥିଲା  । ତାଙ୍କ ନାଲି ଆଖି ଦେଖିଲେ, ବଡ଼ ବଡ଼ ନେତାଙ୍କ ପ୍ୟାଣ୍ଟ ବି ଓଦା ହୋଇଯାଉଥିଲା  । ତୁଣ୍ଡ ଖୋଲୁଥିଲେ ମୁଣ୍ଡ ଗଡୁଥିଲା  । ହେଲେ ଚବିଶ ଭୋଅଟ କିନ୍ତୁ ସବୁ ଏପଟସେପଟ କରିଦେଲା  । କଅଁଳିଆ ପଦ୍ମର ଟାଅାଁସିଆ ଡଙ୍କରେ ଶଙ୍ଖପତି କାଉଲୁବାଉଲୁ ହୋଇଗଲେ  । ନିଜେ ଅର୍ଜିଥିବା ‘ଅସ୍ମିତା’ ବୋଝ ବେଶୀବାଟ ବୋହିନପାରି ଅଟକି ଗଲେ  । ହେଲେ ସେଗୁଡ଼ା ତାଙ୍କୁ ଯେତିକି ଦୁଃଖ ଦେଇନି, ତା’ଠୁ ଅଧିକ ଦୁଃଖ ଦେଉଛନ୍ତି ତାଙ୍କ ଦଳର ନେତା  । ସତେଯେମିତି ଶଙ୍ଖପତିଙ୍କ କଟାଘା’ରେ ଅମାନିଆ ଶଙ୍ଖୁଆଗୁଡ଼ା ଚୁନ ଘଷିଦେଉଛନ୍ତି  । ଫୁଲବାଲା ସିନା ଇଲେଇତି କଲେ ଚଳିବ, ହେଲେ ନିଜ ପିଲାଗୁଡ଼ା ଯଦି ଖତେଇ ହେବେ କାହା ଦେହ ସହିବ କହିଲ ? ସେ ତ ବାରମ୍ବାର କହିଲେ, ତମେ ମୋତେ ପଛେ ଦୋଷ ଦିଅ, ମୋ ଏକୋଇରବଳା ସନ୍ନ୍ୟାସୀଙ୍କୁ କିଛି କହନି  । କିନ୍ତୁ ସମସ୍ତଙ୍କ ରାଗ ତ ସେଇ ଫାଇଭ ବ୍ରାଣ୍ଡର ‘ଟି’ ଉପରେ  । ସେଇ ‘ଟି’ ଚବିଶ ରାଜନୀତିକୁ ଏତେ ପିତା କରିଦେଲାଯେ, ଏଯାଏଁ ବି ଶଙ୍ଖୁଆ ନେତାଙ୍କ ପାଟି ଚିରେଇତା ଖାଇଲା ଭଳି ଦିଶୁଛି  । ସମସ୍ତେ ଏବେ ସେଇ ‘ଟି’ ଉପରେ ରାଗ ଶୁଝାଇବା ଆରମ୍ଭ କରିଛନ୍ତି  । ଏୟାରପୋର୍ଟ ଛକରୁ ଯେତେ ଅଡର଼୍ର ଆସିଲେବି ତା’କୁ କେହି ହେୟାରରେ ବି କେୟାର କରୁନାହାନ୍ତି  । ଆଜ୍ଞା ସେଇ ଲୋକଟା ଏଇ ବୟସରେ ଏତେ ଖଟି ଖଟି ଶଙ୍ଖୁଆ ବାଲାଙ୍କୁ ମଣିଷ କଲା, ହେଲେ ଆଜି ତାଙ୍କ କଟାଘା’ରେ ମଲମ ବଦଳରେ ଚୁନ ଲଗାଇବା କ’ଣ ଠିକ୍‌ କଥା ?