ନିଶା ମୁକ୍ତି ପାଇଁ ‘ନିଶାମୁକ୍ତ’ କମିଟି ଗଠିତ
ରାଜକନିକା: ରାଜକନିକା ବ୍ଲକରେ ଦିନକୁ ଦିନ ଚୋରା ମଦ କାରବାର ବଢ଼ି ଚାଲିଥିବା ବେଳେ ଆଜି କୋରାନ୍ଦ ପଞ୍ଚାୟତର ବଂଶରିଆ ଗାଁର ମଦମୁକ୍ତ ସମାଜ ଗଢିବା ପାଇଁ ଗାଁରେ ଏକଜୁଟ ହୋଇଛନ୍ତି ଶତାଧିକ ମହିଳା ଓ ପୁରୁଷ । ତେବେ ଆଜିର ସମାଜରେ ଯୁବ ପୀଡି ନିଶା ପଛରେ ଧାଇଁ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରିବା ସହିତ ନିଶା ଶକ୍ତ ଅବସ୍ଥାରେ କିଏ ସ୍ୱାମୀ ହରାଉଛି ତ ଆଉ କିଏ ବଢିଲା ପୁଅକୁ ହରାଇ ପରିବାର ସର୍ବସ୍ୱାନ୍ତ ହେଉଥିବା ବେଳେ ବିଶେଷ କରି ମହିଳା ମାନଙ୍କ ପ୍ରତି ଅସଦାଚରଣ ହେଉଥିବରୁ ଆଜି ବଂଶରିଆ ଗାଁରେ ମହିଳା ମାନଙ୍କ ସହିତ ପୁରୁଷ ମାନେ ମିଶି "ମା ପଞ୍ଚବାରାହୀ"ପୀଠରେ ଶପଥ ନେବା ପରେ ବଂଶରିଆ ଗାଁର ଏକ ନିଶାମୁକ୍ତ କମିଟି ଗଠନ କରିଥିବା ସୂଚନା ମିଳିଛି । ତେବେ କମିଟି ଗଠନ ପରେ ଶତାଧିକ ମହିଳା ମାନେ ସେହି ଗାଁ ଶରତ କୁମାର ବେହେରା,ଅଜୟ ଦାଶ ଓ ଚନ୍ଦ୍ରକାନ୍ତ ମଲିକ ଏହି ତିନି ଜଣ ବ୍ୟକ୍ତି ଚୋରା ମଦ ବିକୁଥିବାରୁ ସେମାନଙ୍କ ପାଖରେ ପହଂଚି ଚୋରା ମଦ ବିକ୍ରି ବନ୍ଦ କରିବା ପାଇଁ ବାରଣ କରିଥିଲେ ଓ ଯଦି କେହି ଗାଁ ରେ ଚୋରା ମଦ ବିକ୍ରି କରନ୍ତି ତେବେ ଆଗାମୀ ଦିନରେ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହା ସହିତ ବାରମ୍ବାର ପ୍ରଶାସନକୁ ଲିଖିତ ଅଭିଯୋଗ ପରେ ପ୍ରଶାସନ କର୍ଣ୍ଣପାତ ନ କରୁଥିବାରୁ ଏମିତି ଅସାଧୁ ବେପାରୀ ମାନେ ଚୋରା ମଦ କରବାରରେ ଲିପ୍ତ ରହି ଗାଁରେ ବିଭିନ୍ନ ପ୍ରକାର ଅସାମାଜିକ କାଣ୍ଡ ଘଟାଇବାକୁ ପରୋକ୍ଷରେ ପବତରାଉ ଥିବାରୁ ବିଭିନ୍ନ ପ୍ରକାର ସମସ୍ୟା ଘଟୁଥିବା ଗାଁର ମହିଳା ମାନେ ଅଭିଯୋଗ କରୁଛନ୍ତି । ତେବେ ଯଦି ଚୋରା ମଦ ବନ୍ଦ ନକରାଯାଏ ତାହା ହେଲେ ଆଗାମୀ ଦିନରେ ରାଜକନିକା ଥାନା ଘେରାଉ କରିବେ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି । ତେବେ ଏହି ମଦ ବିରୋଧ ଆନେ୍ଦାଳନରେ ସୁକାନ୍ତି ଦାଶ, ଇତିଶ୍ରୀ ବେହେରା,ଅନୁସୟା ଗୁଡ଼ୁ,ମାଧବୀ ଲେଙ୍କା, ଶଶିବାଳା ମାଝୀ, ଜୟନ୍ତୀ ବେହେରା, ଉର୍ମିଳା ଗୁଡ଼ୁ, ବିଳାସୀ ରାଉତ,ସୁପ୍ରିୟା ଲେଙ୍କା, ତୁଳସୀ ମାଝୀ, ପୁଷ୍ପଲତା ବେହେରା ଓ ସମାଜ ସେବି ରଞ୍ଜନ ସେଠୀ,ବାସୁଦେବ ମହାନ୍ତି, ଧରଣୀଧର ଲେଙ୍କା ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।ସୂଚନା ଥାଉକି କେବଳ ବଂଶରୀଅ ଗାଁ ନୁହେଁ ରାଜକନିକା ବ୍ଲକର ବିଭିନ୍ନ ଗାଁ ଗଣ୍ଡାରେ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ବଢ଼ି ଚାଲିଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ସାଧାରଣ ରେ ଅଭିଯୋଗ ହେଉଛି ।