ଚନ୍ଦ୍ରଶେଖର କଲେଜର ବାର୍ଷିକୋତ୍ସବରେ ମୁଖ୍ୟମନ୍ତ୍ରୀ: ନୂଆ ବିଲ୍ଡିଂ ପାଇଁ ୪ କୋଟି ଟଙ୍କା ଘୋଷଣା

 ଭୁବନେଶ୍ୱର:  ନିଜ କଲେଜ ଓ ଶିକ୍ଷକମାନଙ୍କୁ ନେଇ ଗର୍ବ ଅନୁଭବ କରିବା ଉଚିତ ଏବଂ ଭବିଷ୍ୟତରେ ଏହି ମହାବିଦ୍ୟାଳୟର ଶୋଭା ବର୍ଦ୍ଧନ କରିବା ଉଚିତ । ଏହି ମହାବିଦ୍ୟାଳୟର ପୁରାତନ ଛାତ୍ର ଭାବେ ମୋର ମଧ୍ୟ କର୍ତ୍ତବ୍ୟ ଏବଂ ଦାୟିତ୍ୱ ରହିଛି । ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କରି ମୋ କଲେଜକୁ ମୁଁ ଆସିଛି । ଏଣୁ ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ଓ ଉନ୍ନତିକରଣ ନିମନ୍ତେ ଏକ ୩ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ ପାଇଁ ୪ କୋଟି ଟଙ୍କା ମଞ୍ଜୁର କରାଯିବ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ୪୮ ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ଘୋଷଣା କରିଛନ୍ତି । ସେହିପରି ଏହି ଶିକ୍ଷାନୁଷ୍ଠାନରେ ଯୁକ୍ତ ତିନି ବାଣିଜ୍ୟ, ଯୁକ୍ତ ତିନି ଭୁତତ୍ତ୍ୱ ବିଜ୍ଞାନ, ଏବଂ କଳା ପାଠ୍ୟକ୍ରମରେ ସଂସ୍କୃତ ଏବଂ ସାମାଜିକ ଶାସ୍ତ୍ର ସହିତ ଇଣ୍ଡିଗ୍ରେଟେଡ଼ ବି.ଏଡ୍ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଥିଲେ । 
ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ଆଜି ଏହି ମହାବିଦ୍ୟାଳୟକୁ ନାସନାଲ୍ ଏକ୍ସଲେନ୍ସ ସେଣ୍ଟର୍ ଭାବେ ପରିଗଣିତ କରିବା ପାଇଁ ଏବଂ ସ୍ୱାୟଂଶାସିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ପୂର୍ବରୁ ଏହି ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ୩ କୋଟି ୩୦ ଲକ୍ଷ ଟଙ୍କାର ରାଶି ଘୋଷଣା କରିଛନ୍ତି । ପ୍ରାକୃତିକ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡରେ ପୁଣ୍ୟତୋୟା ବୈତରଣୀ ତଟରେ ଚନ୍ଦ୍ରଶେଖର ମହାଦେବଙ୍କ ନାମରେ ନାମିତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ୧୯୭୭ ମସିହା ଜୁଲାଇ ୨୫ରେ ପ୍ରତିଷ୍ଠିତ ହୋଇଥିଲା । ନିରନ୍ତର ଭାବେ ଆଜି ପର୍ଯ୍ୟନ୍ତ ଚମ୍ପୁଆ ଉପଖଣ୍ଡ, ନିକଟବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ମୟୁରଭଞ୍ଜ ଓ ସୀମାନ୍ତ ଝାଡ଼ଖଣ୍ଡ ଅଞ୍ଚଳର ବହୁ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାର ଆଲୋକବର୍ତ୍ତିକା ସାଜିଛି । ସେ କହିଥିଲେ ଏହି କଲେଜ ପ୍ରତିଷ୍ଠା ପାଇଁ, ସ୍ୱର୍ଗତ କ୍ଷେତ୍ରବାସୀ କର, ବ୍ରଜ ସୁନ୍ଦର ପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସହରାଇ ଓରାମ୍ଙ୍କ ପରି ଅନେକ ମହତ ସମାଜ କଲ୍ୟାଣକାରୀ ଲୋକଙ୍କ ଯଥେଷ୍ଟ ଅବଦାନ ରହିଛି । ଏପରି ଏକ ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ "ୟେସ୍ ୱି କ୍ୟାନ୍’ର ନାରା ଦେଇ କହିଥିଲେ ଯେ ନିଜର ଦୃଢ଼ ଆତ୍ମବିଶ୍ୱାସ ଓ