ଆଜି ଠାରୁ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ

ଆଜି ଠାରୁ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର : ଆଜି ଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ କେନ୍ଦୁଝର ଜିଲ୍ଲାଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସରକାରୀ ସୂଚନା ମିଳିଛି । ଶୁକ୍ରବାର ସକାଳ ୧୦ଟା ୫୦ ମିନିଟରେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚିି ପଳାସପଙ୍ଗାରେ ନୂତନ ଲ୍ୟାମ୍ପସର ଉଦଘାଟନ କରିବା ସହିତ ମୁରୁସୁଆଁ ଖେଳ ପଡିଆରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜି ଅପରାହ୍ନ ୩ଟା ୪୫ରେ ନେକେଡ଼ାଘରରେ ନିର୍ମିତ ହୋଇଥିବା ବିପ୍ଲବୀ ବୀର ଧରଣୀଧରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଏହାପରେ କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୯ ନମ୍ବର ୱାର୍ଡର କାଶୀପୁର ନବୀକୃତ ପୁଷ୍କରିଣୀର ଉଦଘାଟନ କରିବା ସହ ଅପରାହ୍ନ ୫ଟା ୫୫ରେ ପ୍ରେମଲତିକା କଳାଭବନ ସମ୍ମୁଖରେ ଅନୁଷ୍ଠିତ ଗାୟତ୍ରୀ ମହାଯଜ୍ଞରେ ଯୋଗ ଦେଇ ସନ୍ଧ୍ୟା ୬ଟା ୩୦ରେ କେନ୍ଦୁଝର ଷ୍ଟାଡିଅମରେ ଅନୁଷ୍ଠିତ ଗୋନାସିକା କେନ୍ଦୁଝର ମହୋତ୍ସବର ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । 


   ଶନିବାର ସକାଳ ୧୦ଟା ସମୟରେ କେନ୍ଦୁଝର ଡିଏନ ହାଇସ୍କୁଲରେ ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ପୂର୍ବାହ୍ନ ୧୧ଟା ୨୦ରେ ମୈଦାନକେଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବା ସହିତ ଅପରାହ୍ନ ୩ଟା ୩୦ରେ ଅଲଚିକି ଲିପିର ୧୦୦ତମ ପୂର୍ତ୍ତି ଉତ୍ସବ ଯାହାକି ସିଲିସୁଆଁଠାରେ ଅନୁଷ୍ଠିତ ହେବ ସେଠାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ଅପରାହ୍ନ ୫ଟା ୪୫ରେ ପଦ୍ମପୁର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଇ ସର୍କିଟ ହାଉସରେ ରାତ୍ରିଯାପନ କରିବେ । ରବିବାର ସକାଳେ ତେଲକୋଇ ବ୍ଲକର ଶିରିଗିଡା ଯାଇ ସେଠାରେ ଏହାର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସିରିଗିଡାରୁ ଫେରି କେନ୍ଦୁଝର ବଣିଆପାଟସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଅପରାହ୍ନ ୩ଟା ୩୦ରେ ଯୋଗଦେଇ ଅପରାହ୍ନ ୫ଟା ୩୦ରେ ରାଜ୍ୟସ୍ତରୀୟ ପାଲା କଳାକାର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ରବିବାର ରାତିରେ ମଧ୍ୟ ସର୍କିଟ ହାଉସରେ ରାତ୍ରିଯାପନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ତିନିଦିନିଆ ଗସ୍ତକୁ ନେଇ ୨୫ରୁ ୨୯ ପର୍ଯ୍ୟନ୍ତ କୌଣସି ଖଣିଜ ପରିବହନ କାର୍ଯ୍ୟ ବା ପରିବହନ ହେବ ନାହିଁ ବୋଲି ଜଣାପଡିଛି।