ଜଗାଦର୍ଶନ କଲେ ଶିବରାଜ ଓ ଲଲୁ

 ପୁରୀ : ଶ୍ରୀକ୍ଷେତ୍ରର ସ୍ୱାଭିମାନୀ ସତ୍ୟବାଦୀ ମାଟିରୁ ଆରମ୍ଭ ହୋଇଛି ବିକଶିତ କୃଷି ସଂକଳ୍ପ ଅଭିଯାନ । ଏହି ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀ ସସ୍ତ୍ରୀକ ପୁରୀ ଆସି ଜଗନ୍ନାଥ ଦର୍ଶନ କରିଥିଲେ । ଦର୍ଶନ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍ କହିଛନ୍ତି ଯେ ‘ଜଗନ୍ନାଥକା ଭାତ ଜଗତ ପସାରେ ହାତ୍’ । ପ୍ରସନ୍ନତାର ସହ ଏହି ପବିତ୍ର ଧାମରେ କହିବାକୁ ଯାଉଛି କି ଚାଷୀଙ୍କ ପରିଶ୍ରମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୃଷି ଓ କୃଷକମାନଙ୍କ କଲ୍ୟାଣ ନୀତି ଯୋଗୁଁ ଆଜି ଦେଶର ଖାଦ୍ୟଭଣ୍ଡାର ଭରପୂର ରହିଛି । ଗହମ, ଚାଉଳ, ମକା, ସୋୟାବିନ୍, ଚିନାବାଦାମର ରେକର୍ଡ଼ ପରିମାଣର ଉତ୍ପାଦନ ହେଉଛି । କୃଷି ସଂକଳ୍ପ ଅଭିଯାନ ଆଜି ପୁରୀର ପବିତ୍ର ଧାମରୁ ଆରମ୍ଭ ହୋଇଛି ।
ସେପଟେ ଭୁବନେଶ୍ୱରରେ ଭାରତୀୟ ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦେ୍ଦଶ୍ୟରେ ଅନୁଷ୍ଠିତ ଜୟହିନ୍ଦ୍ କାର୍ଯ୍ୟକ୍ରମରେ ଯୋଗଦାନ ପରେ ଗୁରୁବାର ପୁରୀ ଆସି ପିସିସି ସଭାପତି ଭକ୍ତଚରଣ ଦାସ ଓ କଂଗ୍ରେସ କର୍ମକର୍ତ୍ତାମାନଙ୍କ ଗହଣରେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ଓ ହରିୟାଣାର ସାଂସଦ ଦୀପେନ୍ଦ୍ର ସିଂ ହୁଡ଼ା ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ।