ହାର୍ଡ଼କୋର ମାଓବାଦୀ ମନୋଜ ନିପାତ

 ଭୁବନେଶ୍ୱର/ମାଲକାନଗିରି : ଛତିଶଗଡ଼ରେ ଯବାନଙ୍କୁ ବଡ଼ ସଫଳତା ମିଳିଛି  । କୁଖ୍ୟାତ ମାଓବାଦୀ ତଥା କେନ୍ଦ୍ରୀୟ କମିଟି ମେମ୍ବର ମନୋଜ ଓରଫ ମୋଡ଼େମ ବାଲକ୍ରୀଷ୍ଣା ନିପାତ ହୋଇଛି  । ମନୋଜ ସମେତ ୧୦ ମାଓବାଦୀ ବି ନିହତ ହୋଇଥିବା ସୂଚନା ମିଳିଛି  । ମନୋଜ ମୁଣ୍ଡ ଉପରେ ୧ କୋଟିର ଇନାମୀ ରହିଥିଲା  ।
ବାଲାନ୍ନା, ରାମଚନେ୍ଦର ଓ ଭାସ୍କର ନାମରେ ବି ମନୋଜ ପରିଚିତ ଥିଲା  । ୧୯୮୦ ଦଶକରେ ସେ ମାଓ ସଂଗଠନରେ ପାଦ ଥାପିଥିଲା  । ଆଜିକା ଦିନରେ ତାକୁ ଟପ ମାଓବାଦୀ ଲିଡ଼ର ଭାବେ ବିବେଚନା କରାଯାଉଥିଲା  ।  ସେ ଓଡିଶା ଓ ଛତିଶଗଡ ସୀମାରେ ବେଶ ସକ୍ରିୟ ରହିଥିଲା । ଏକେ ୪୭ ଧରୁଥିବା ମନୋଜ ଓଡ଼ିଶା ରାଜ୍ୟ କମିଟିର ଓଏଏସି ମେମ୍ବର ଓ ସିଆରବି ମେମ୍ବର ମଧ୍ୟ ଥିଲା  ।
 ମୈନପୁର ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଖବର ମିଳିବା ପରେ ଇ-୩୦, ଏସଟିଏଫ ଓ କୋବ୍ରା ବାହିନୀ ପକ୍ଷରୁ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ସକାଳୁ ସମୟରୁ ହିଁ ଗୁଳି ବିନିମୟ ଆରମ୍ଭ ହୋଇଥିଲା  । ନିହତ ମାଓବାଦୀଙ୍କ ମୃତଦେହଗୁଡିକୁ ବେସ୍ କ୍ୟାମ୍ପକୁ ଅଣାଯାଇଛି । ଏହାପରେ ସ୍ୱତନ୍ତ୍ର ଭାବେ ସେମାନଙ୍କ ପରିଚୟ ଓ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ସମ୍ପର୍କରେ ସୂଚନା ଦିଆଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।
ଅପରପକ୍ଷରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି  । ସାତେଧାର-ମାଲେବାହି ରାସ୍ତାରେ ଆଇଡି ବୋମା ବିସ୍ଫୋରଣ କରି ସୁରକ୍ଷା ବାହିନୀକୁ ଟାର୍ଗେଟ କରିଛନ୍ତି ମାଓବାଦୀ  । ବିସ୍ଫୋରଣରେ ଦୁଇ ସିଆରପିଏଫ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି  । ଜଣଙ୍କର ବାମ ପାଦ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି  । ଉଭୟ ଆହତ ଯବାନଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲ ଦାନ୍ତେୱାଡାକୁ ପଠାଯାଇଛି  । ଯେଉଁଠାରେ ସେମାନଙ୍କର ଚିକିସôା ଜାରି ରହିଛି  । ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର ଆରମ୍ଭ ହୋଇଛି  ।