ଚାନ୍ଦଲି ପାହାଡକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା

 ବଲାଙ୍ଗିର:  ରାଜ୍ୟ ସରକାର ରାଜ୍ୟର ୨୦ଟି ସ୍ଥାନକୁ ଚିହ୍ନଟକରି ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପ୍ରଦାନ କରିଛନ୍ତି  । ଏଥିରେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଦେଷଣ୍ଢ ଅନ୍ତର୍ଗତ ଚାନ୍ଦଲି ପାହାଡକୁ ମଧ୍ୟ ସାମିଲ କରାଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ନିଦେ୍ର୍ଦଶକ ସମର୍ଥ ବର୍ମା  ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିରେ ରାଜ୍ୟର ୨୦ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳି ଘୋଷଣା କରାଯାଇ ଥିବା ଜଣାପଡ଼ିଛି । ଏଥିରେ ୨ ନମ୍ବରରେ ସୋନପୁର ଜିଲ୍ଲାର ମାଁ ମେଟାକାନୀ ପୀଠ ରହିଥିବା ବେଳେ ୧୦ନମ୍ବରରେ ବଲାଙ୍ଗୀର ଜିଲ୍ଲାର ଚାନ୍ଦଲି ପାହାଡ ରହିଛି  । ଦୀର୍ଘ ୪ ବର୍ଷର ଉଦ୍ୟମରେ ଦେଷଣ୍ଢ ଅଞ୍ଚଳବାସୀ ଏହାକୁ ହାସଲ କରିପପାରିଛନ୍ତି  । ସେଥିପାଇଁ ଅଞ୍ଚଳବାସୀ ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ଜିଲ୍ଲାପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି  ।  ଆଗକୁ ଆଉ ୧୦କୋଟି ଟଙ୍କାର ଅନୁଦାନ ଦେବାକୁ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ରାଜ୍ୟସରକାରଙ୍କୁ ଚିଠି ଲେଖିଛନ୍ତି  । ସେହିପରି ଚାନ୍ଦଲି ପାହାଡ ନିକଟରେ ଥିବା ଭୁଲିଆ କଟା ବା ମେହେର କଟାର ଉନ୍ନତିକରଣ ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ୬କୋଟି ୭୬ ଲକ୍ଷ ଟଙ୍କାର ଡିପିଆର ରାଜ୍ୟସରକାରଙ୍କୁ ପଠାଯାଇଛି  । ଚାନ୍ଦଲି ପାହାଡରେ ବହୁ ପୁରାତନ ଗୁମ୍ଫା ରହିଥିବା ବେଳେ ସେଠାରେ ଶିଳାଚିତ୍ରଗୁଡିକ ମଧ୍ୟ ରହିଛି  । ସତ୍ୟ ବଟବୃକ୍ଷ, ସିତାକୁଣ୍ଡ, ସପ୍ତଫେଣୀନାଗ ପଥର ଇତ୍ୟାଦି ରହିଛି । ଚାନ୍ଦଲିପାହାଡରେ ପ୍ରତିବର୍ଷ ନୁଆବର୍ଷରେ ନାମଯଜ୍ଞ ସହିତ ମହିମାସାଧୁଙ୍କ ଦ୍ୱାରା ଅଖଣ୍ଡଧୂନୀ ଯଜ୍ଞ ମଧ୍ୟ ହୋଇଥାଏ  । ବଲାଙ୍ଗୀର ବନଖଣ୍ଡର କିରିବାଞ୍ଜି ରିଜର୍ଭ ଜଙ୍ଗଲ ଭିତରେ ଥିବା ଏହି ପ୍ରାକୃତିକ ମନୋରମ ସ୍ଥଳିକୁ ରାଜ୍ୟସରକାର ପର୍ଯ୍ୟଟନସ୍ଥଳିର ମାନ୍ୟତା ଦେଇଥିବାରୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।