ଶିମିଳିପାଳରେ ୨ ଶିକାରୀ ଗିରଫ

ବାରିପଦା : ଶିମିଳିପାଳ ଟାଇଗର ରିଜର୍ଭରେ ଏଆଇ କ୍ୟାମେରା ଏବଂ ପାଟ୍ରୋଲିଂ ଟିମ୍ର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବଫର ଜୋନ୍ରେ ଏକ ଶିକାର ଉଦ୍ୟମ ବିଫଳ ହୋଇଛି । ବନବିଭାଗ ପକ୍ଷରୁ ଦୁଇ ଶିକାରୀଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠାରୁ ଦେଶୀ ବନ୍ଧୁକ ଓ ଗୁଳି ଜବତ ହୋଇଛି । ସେମାନେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ହାଟିକୁଟ ଗାଁ ନିକଟ ଅମ୍ବିକା ଦେଇପୁରର ଗୋପାଳ ସୋରେନ ଓରଫ ବନମାଳୀ ଓ ମଣ୍ଡଳ ସିଂ । ପାଟ୍ରୋଲିଂ ଟିମ୍ ସେମାନଙ୍କ ନିକଟରୁ ଏକ ହାତବନ୍ଧା ବନ୍ଧୁକ ଏବଂ ବିସ୍ଫୋରକ ଜବତ କରିଛି । ଡୁକୁରା ବନ୍ୟଜନ୍ତୁ ରେଞ୍ଜ ଅନ୍ତର୍ଗତ ଓଆର ମାମଲା ନଂ. ୦୩ଡିକେ-୨୦୨୪-୨୫ ରୁଜୁ କରାଯାଇ ବାରିପଦା ସିଜେଏମଙ୍କ  ନିକଟରେ ହଜାର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । 
ଅନ୍ୟ ଏକ ଘଟଣାରେ, ୨୦୨୫ ମଇ ୨୦ ତାରିଖରେ, ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ସୁବର୍ଣ୍ଣମଞ୍ଜରୀ ଗାଁର ମହେନ୍ଦ୍ର ସିଂ, ଓଆର ମାମଲା ନଂ. ୦୫ଡିକେ-୨୦୨୩-୨୪ ସହ ଜଡ଼ିତ ତଦନ୍ତ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ସ୍ୱୀକାରୋକ୍ତି ବୟାନରେ ସେ ଅପରାଧରେ ସମ୍ପୃକ୍ତି ରହିଥିବା ସ୍ୱୀକାର କରିଛନ୍ତି । ଅନ୍ୟ ଚାରି ସହଯୋଗୀଙ୍କୁ ୧୨ ଜାନୁଆରୀ ୨୦୨୪ରେ ଘଟଣାସ୍ଥଳରେ ଗିରଫ କରାଯାଇଥିଲା । ମହେନ୍ଦ୍ର ସିଂଙ୍କୁ ୨୦୨୫ ମଇ ୨୦ ତାରିଖରେ ନ୍ୟାୟିକ ହାଜତକୁ ପଠାଯାଇଛି ।