ଅପରେସନ ଅଖଲ ୨ ଯବାନ ସହିଦ

 ଶ୍ରୀନଗର :  ଜମ୍ମୁ ଓ କାଶ୍ମୀରର କୁଲଗାମରେ ଲସ୍କର ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ ଅଖଲ ୯ମ ଦିନରେ ପହଞ୍ଚିଛି । ଏମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗତକାଲି ରାତିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ମୁକାବିଲା ହୋଇଥିଲା । ଏଥିରେ ୨ଜଣ ଯବାନ ସହିଦ ହୋଇଥିବା ସାମ୍ନାକୁ ଆସିଛି । ଏହା ସହ ୪ଜଣ ଯବାନ ଆହତ ହୋଇଛନ୍ତି । ସହିଦ ଯବାନ ହେଲେ ଲେନେସ/ନାୟକ ପ୍ରୀତିପାଲ ସିଂହ ଓ ସିପାହୀ ହରମିନ୍ଦର ସିଂହ । ୯ଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀର ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ୧୦ଜଣ ଯବାନ ଆହତ ହୋଇଛନ୍ତି । ଘନ ଜଙ୍ଗଲ ଓ ପ୍ରାକୃତିକ ଗୁମ୍ଫା ଭଳି ଆଡ୍ଡାର ସୁଯୋଗ ନେଇ ଅତି କମରେ ତିନି କିମ୍ବା ତା'ଠାରୁ ଅଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି । ଏହି ଅପରେସନ୍ ଗତ କିଛି ଦଶନ୍ଧି ମଧ୍ୟରେ ସବୁଠାରୁ ଦୀର୍ଘକାଳୀନ ଆତଙ୍କୀ ବିରୋଧୀ ଅପରେସନ୍ ପାଲଟିଛି । ଜମ୍ମୁ ଏବଂ କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ଅଗଷ୍ଟ ୧ ତାରିଖରେ 'ଅପରେସନ୍ ଅଖଲ' ଆରମ୍ଭ କରିଥିଲେ । ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ଏଠାରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥାଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି । ଭାରତୀୟ ସେନାର ଚିନାର କର୍ପସ ଅନୁଯାୟୀ, ଦକ୍ଷିଣ କାଶ୍ମୀରର ଜଙ୍ଗଲିଆ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ସେନା, ଜମ୍ମୁ-କାଶ୍ମୀର ପୁଲିସ ଏବଂ ସିଆରପିଏଫର ଏକ ମିଳିତ ଦଳ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ ।