ଶିଶୁ ସୁରକ୍ଷା କର୍ମଶାଳା

 କଟକ: ଜିଲ୍ଲା ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷରେ କଟକ କମିଶନରେଟ ପୋଲିସ ଏବଂ ଗ୍ରାମାଞ୍ଚଳ ପୋଲିସ ଅଧୀନସ୍ଥ ୪୨ଟି ଥାନାର ସମସ୍ତ ଶିଶୁ ମଙ୍ଗଳ ଅଧିକାରୀମାନଙ୍କ ପାଇଁ ଶିଶୁ ସୁରକ୍ଷା ଆଇନ ସମ୍ବଳିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳ ସ୍ୱତନ୍ତ୍ର କିଶୋର ଆରକ୍ଷୀ ୟୁନିଟର ଅଧ୍ୟକ୍ଷ ପ୍ରମୋଦ କିଶୋର ଆଚାର୍ଯ୍ୟ ଓ ସଦସ୍ୟ ହରିହର ନାୟକ ବିଷୟ ବିଶାରଦ ଭାବେ ଯୋଗ ଦେଇ ଶିଶୁ ସୁରକ୍ଷା ଆଇନ ଗୁଡ଼ିକୁ କାର୍ଯ୍ୟକାରୀ କରାଇବାରେ ଶିଶୁ ମଙ୍ଗଳ ଥାନା ଅଧିକାରୀମାନଙ୍କର ଦାୟିତ୍ୱ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଶିଶୁ ସୁରକ୍ଷା ଆଇନ ପରିସରରେ ଆସୁଥିବା ଶିଶୁମାନଙ୍କୁ ଶିଶୁ ମିତ୍ର ଭାବାପନ୍ନ ଆଚରଣ ପ୍ରଦର୍ଶନ କରି ସେମାନଙ୍କ ପ୍ରକୃତ ସମସ୍ୟାର ନିରାକରଣ ଦିଗରେ ଯତ୍ନଶୀଳ ହେବା ଲାଗି ବିଷୟ ବିଶାରଦ ତାଲିମ ପ୍ରଦାନ କରିଥିଲେ । ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଜାତିସଂଘର ସନନ୍ଦରେ ପାରିତ ପ୍ରାବଧାନ ସମୂହକୁ ଦୃଷ୍ଟିରେ ରଖି ଆଇନର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାକୁ ତାଲିମ ଦିଆଯାଇଥିଲା । ଏଥିରେ ଶିଶୁ ଓ କିଶୋର (ଯତ୍ନ ଓ ସୁରକ୍ଷା) ଆଇନ-୨୦୧୨, ଶିଶୁ ଯୌନ ନିର୍ଯ୍ୟାତନା ସୁରକ୍ଷା ଆଇନ ଓ ଶିଶୁ ଶ୍ରମ ନିଷେଧ ଏବଂ ନିରାକରଣ ଆଇନର କାର୍ଯ୍ୟକାରିତାରେ ଶିଶୁ ମଙ୍ଗଳ ଆରକ୍ଷୀ ଅଧିକାରୀମାନଙ୍କର ଭୂମିକା ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜନ ଓ ପରିଚାଳନା କରାଯାଇଥିଲା ।