ଚାଷୀଙ୍କ କାମରେ ଆସୁନି ମହୁଲ ଝରଣ ନାଳ ଚେକ୍ ଡ୍ୟାମ୍

 ନୂଆପଡା:  ସରକାର ଚାଷୀଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଥିବା ବେଳେ, ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରକୃତ ଉଦେ୍ଦଶ୍ୟ ସାଧିତ ହୋଇ ପାରୁନାହିଁ । ଯାହାଫଳରେ ଚାଷୀମାନେ ଚାଷ କାର୍ଯ୍ୟ ସମୟରେ ପାଣି ମୁନ୍ଦାଏ ନ ପାଇ ସମସ୍ୟାରେ ପଡୁଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚେକ୍ ଡ୍ୟାମ୍ ଚାଷୀଙ୍କ କାର୍ଯ୍ୟରେ ଆସୁ ନ ଥିବା ବେଳେ, ଏହି କାର୍ଯ୍ୟର ସ୍ୱଚ୍ଛତା ନେଇ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ ଖଇର ପଦର ପଞ୍ଚାୟତ ସଦର ଗ୍ରାମକୁ ଲାଗିଥିବା ଜଙ୍ଗଲ ତଳ ଭାଗରେ ମହୁଲଝର ନାଳ ରହିଛି । ଏଠାରେ ଚାଷୀଙ୍କ ଜମିକୁ ପାଣି ମଡାଇବା ପାଇଁ ଜଳସେଚନ ଉଦେ୍ଦଶ୍ୟରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି । ପ୍ରତି ବର୍ଷ ଏହି ଡ୍ୟାମ୍ର ଉନ୍ନତିକରଣ ନାମରେ ମାଟି କାର୍ଯ୍ୟ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟ କରାଯାଉଛି । ହେଲେ ଡ୍ୟାମ୍ ପ୍ରତିବର୍ଷ ଶୁଖିଲା ପଡିରହିଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି ।
ଏହି କାର୍ଯ୍ୟ ଚଳିତ ବର୍ଷ ମଧ୍ୟ କରଯାଇଥିଲା । ହେଲେ ତାହାର କୌଣସି ସାଇନବୋର୍ଡ କିମ୍ବା ହିସାବ ସ୍ଥାନୀୟ ଲୋକେ ଜାଣି ପାରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଯେଉଁ ଠାରେ ଢିପ ରହିଛି ସେଠାରେ ମାଟି ଖନନ କାର୍ଯ୍ୟ କରା ନଯାଇ ସମତୁଲ ରହିଥିବା ଗାଢରେ କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଯେଉଁ ସ୍ଥାନରୁ ଚାଷୀ ଙ୍କ ଜମିକୁ ପାଣି ଯିବା ପାଇଁ ଆଉଟ୍ଲେଟ ତିଆରି ହୋଇଛି ତାହା ଉଚ୍ଚ ଜାଗାରେ ନିର୍ମାଣ ହୋଇଥିବାରୁ ଜମିକୁ ପାଣି ମାଡି ପାରୁ ନାହିଁ ବୋଲି ଲୋକେ ପ୍ରକାଶ କରିଛନ୍ତି । ସିନାପାଲି ବ୍ଲକର ଏହି ଅଞ୍ଚଳ ଏକ ବଣ ପାହାଡ ଘେରା ଅଞ୍ଚଳରେ ଅବସ୍ଥିତ । ଏଠାରେ ଆବଶ୍ୟକ ଜଳ ସେଚନର ସୁବିଧା ନ ଥିବାରୁ ପ୍ରତିବର୍ଷ ମରୁଡିର ସମ୍ମୁଖିନ ହେବାକୁ ପଡୁଛି । ଏହାକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଜଳସେଚନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ହେଲେ ଡ୍ୟାମ୍ ନିର୍ମାଣ ହେବା ଦିନ ଠାରୁ ଚାଷୀମାନେ ଆଜି ପର୍ଯ୍ୟନ୍ତ ପାଣି ମୁନ୍ଦାଏ ପାଇବା ମୁସ୍କିଲ ହୋଇ ପଡିଛି । ଖରା ମାସରେ ପାଣି ରହୁ ନ ଥିବାରୁ ଗାଇ ଗୋରୁ ତଥା ବନ୍ୟ ପ୍ରାଣୀ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏହିଭଳି ଯୋଜନାରୁ ଚାଷୀ ସୁଫଳ ପାଇବାରୁ ବଞ୍ଚôତ ରହି ଅନେକ ସମୟରେ ମରୁଡି ମୁକାବିଲା କରିବାରେ ଅସମର୍ଥ ହୋଇ ପଡୁଛି । ଚାଷୀ ଚାଷ କାର୍ଯ୍ୟ କରି କିଛି ରୋଜଗାର କରି ପରିବାର ପ୍ରତିପୋଷଣ କରିବା ଚିନ୍ତା କରୁଥିବା ବେଳେ, ଏଭଳି ମହତ ଯୋଜନା ଉପାନ୍ତରେ ସଠିକ ଭାବରେ କାର୍ଯ୍ୟକାରି ହୋଇପାରୁନାହିଁ । ଏ ଦିଗରେ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି କରିଛନ୍ତି ।