ହଜାରେ କୋଟିର କେଳେଙ୍କାରୀ ! : ଗୁମର ଖୋଲିବ ଶଙ୍କର
- ପରସ୍ପରକୁ ଦାୟୀ କଲେ ବିଜେଡ଼ି-ବିଜେପି
- ମାଷ୍ଟରମାଇଣ୍ଡ ଶଙ୍କରକୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ
- ଶଙ୍କର-ମୁନାକୁ ମୁହାଁମୁହିଁ ଜେରା
- ପାସ୍ପୋର୍ଟ ଓ ଫରଚ୍ୟୁନର ଜବତ
"ମୁଁ ଲୁଚିନଥିଲି । ଜାମିନ୍ ଆବେଦନ କରିଥିଲି । ଏବେ ସରେଣ୍ଡର କରିନଥିଲେ ହଜାରେ କୋଟିର ଡିଲ୍ ପଦାକୁ ଆସି ପାରିନଥା’ନ୍ତା । ସବୁ ତଥ୍ୟ ପ୍ରଦାନ କରିବି । ଗିରଫ ହୋଇଥିବା ୧୨୪ ଜଣଙ୍କର ଜନ୍ମକୁଣ୍ଡଳୀ ଖୋଲାଯାଉ । ମୋର କାହା ସହ ସମ୍ପର୍କ ନାହିଁ ।'
ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ଅଫିସରେ ରବିବାର ଜେରା କରାଯାଇଛି । ସକାଳେ ଉତ୍ତରାଖଣ୍ଡରୁ ଭୁବନେଶ୍ୱର ଆଣି କ୍ରାଇମବ୍ରାଞ୍ଚ ଟିମ ପହଁଞ୍ଚବା ପରେ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଅଣାଯାଇଥିଲା । ସେଠାରେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିକୁ ମାରାଥନ ଜେରା କରିଛି । ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିକୁ ସାମନା ସାମନି ପଚରା ଉଚରା କରାଯାଇଥିବା ଜଣାପଡ଼ିଛି । ଏହି ଜେରାରୁ ଶଙ୍କରର ସ୍କାମ ନେଟୱାର୍କ ଖୋଲିବା ପାଇଁ କ୍ରାଇମବ୍ରାଞ୍ଚକୁ ଖିଅ ମିଳିଛି ।
ମୁନା ମହାନ୍ତି ହେଉଛି ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ । ମୁନାକୁ ୫ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଆଣିଛି । ଉଭୟ ମିଶି କେଳେଙ୍କାରୀର ପ୍ଲାନ କରିଥିଲେ । କ୍ରାଇମବ୍ରାଞ୍ଚ ଶଙ୍କରର ପାର୍ସପୋର୍ଟ ଓ ଫରଚ୍ୟୁନର ଜବତ କରିଛି । ଶଙ୍କରଠାରୁ ଗୋଟିଏ ଫରଚ୍ୟୁନର, ୨ଟି ଆଇଫୋନ ଓ ପାର୍ସପୋର୍ଟ ଜବତ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ଜଙ୍କସନ ଏସବିଆଇ ରୋଡ଼ ଡିଫେନ୍ସ କଲୋନୀର ବାସିନ୍ଦା ଶଙ୍କର ପୃଷ୍ଟି ବୋଲି କ୍ରାଇମବ୍ରାଞ୍ଚ କହିଛି ।ପଞ୍ଚସଫ୍ଟ ଟେକୋନୋଲୋଜି ପ୍ରାଇଭେଟ ଲିମିଟେଡ଼ର ଡାଇରେକ୍ଟର ଭାବେ ଶଙ୍କର କାର୍ଯ୍ୟ କରୁଥିଲା । ଭୁବନେଶ୍ୱର ପଟିଆରେ ଅଫିସ କରି ଶଙ୍କର ନେଟୱାର୍କ ଚଳାଇ ଆସୁଥିଲା । ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଅରବିନ୍ଦ ଦାସ ପ୍ରମୁଖ ଶଙ୍କରର ସହଯୋଗୀ ଥିଲେ । ଟି ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲ ମଧ୍ୟ ଶଙ୍କରର ସହଯୋଗୀ ଥିଲେ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଶଙ୍କର ନାଁରେ ସଂଗୀନ ଦଫାରେ ମାମଲା ରୁଜୁ ହୋଇଛି । ଓଡ଼ିଶା ପବ୍ଲିକେସନ ଆକ୍ଟ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ସେକ୍ସନ ୧୧ (୧)/୧୨ (୧) ରେ ମାମଲା ରୁଜୁ ହୋଇଛି । ଶଙ୍କର ନାଁରେ ବିଏନଏସ ଧାରା ୩୧୯(୨), ୩୧୮(୪), ୩୩୮/୩୩୬ (୩), ୩୪୦(୨) ଧାରାରେ ମାମଲା ରୁଜୁ ହୋଇଛି । ଏହାଛଡ଼ା ୧୧୧/ ୬୧ (୨)/୩ (୫) ଧାରାରେ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡ଼ିଛି ।
ଭୁବନେଶ୍ୱରରେ ପହଁଚିବା ପରେ ଶଙ୍କର ପୃଷ୍ଟି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛି, ମୁଁ ଜାମିନ ଆବଦେନ କରିଥିଲି । ମୁଁ ଲୁଚିନଥିଲି, ଆଇନ ଅନୁଯାୟୀ ସମ୍ମୁଖୀନ ହେଉଥିଲି । ହାଇକୋର୍ଟରେ ଫାଇଲ କରାଯାଇଥିଲା, ସୁପ୍ରିମ କୋର୍ଟରେ ଫାଇଲ କରିଥିଲି । ହାଇକୋର୍ଟକୁ ଆଗୁଆ ଜାମିନ ମାଗିଥିଲି ବୋଲି ଶଙ୍କର ପୃଷ୍ଟି କହିଛି । ସମୟ ଦେଇଥିଲେ, ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି । ପତ୍ନୀ ଦିପ୍ତୀମୟୀ ସାହୁଙ୍କ ନାଁରେ କୌଣସି କେସ ନାହିଁ ବୋଲି ଶଙ୍କର କହିଛି । କୋର୍ଟଙ୍କ ଉପରେ ସଂପୂର୍ଣ୍ଣ ଭରସା ରହିଛି, ନ୍ୟାୟ ମିଳିବ । ୧୨୪ ଲୋକଙ୍କ ଜନ୍ମକୁଣ୍ଡଳୀ ବାହାର କରନ୍ତୁ, କାହା ସହ ସଂପର୍କ ନାହିଁ ବୋଲି ଶଙ୍କର ତା ପତିକ୍ରିୟାରେ ଗଣମାଧ୍ୟମକୁ କହିଛି । ଅପର ପକ୍ଷରେ ପୋଲିସ ଏସଆଇ କେଳେଙ୍କାରୀ ମାମଲାର ସେ ମାଷ୍ଟର ମାଇଣ୍ଡ ପ୍ରଶ୍ନକୁ ଏଡ଼ାଇ ଦେଇଛି । ମୁଁ ମାଷ୍ଟର ମାଇଣ୍ଡ, ଏହା ସଂପୂର୍ଣ୍ଣ ମିଛ କଥା ବୋଲି ଶଙ୍କର ପୃଷ୍ଟି ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛି । ଗିରଫ ପରେ ଶଙ୍କର ପୃଷ୍ଟି ଗଣମାଧ୍ୟମକୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି, ପୂର୍ବ ସରକାରରେ ହଜାରେ କୋଟି ଟଙ୍କାର ଡିଲ ହୋଇଛି । ଯଦି ମୁଁ ସରେଣ୍ଡର କରି ନଥାନ୍ତି, ତେବେ ହଜାର କୋଟିର ଡିଲ କେମିତି ପଦାକୁ ଆସିଥାନ୍ତା ? ଷଡ଼ଯନ୍ତ୍ରକାରୀଙ୍କ ସବୁ ତଥ୍ୟ ସରକାରଙ୍କୁ ଦିଆଯିବ ବୋଲି ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଆସନ୍ତାକାଲି ଶଙ୍କର ପୃଷ୍ଟିକୁ କୋର୍ଟରେ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ । ସୂଚନାଯୋଗ୍ୟ, ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣକୁ ଗିରଫ କରିଛି । ଶଙ୍କର ପୃଷ୍ଟି ଗିରଫ ହେବା ପରେ ସରକାରଙ୍କୁ ଟାର୍ଗେଟକରିଛି ବିଜେଡ଼ି । ଅପରପକ୍ଷରେ ପୂର୍ବ ସରକାର ସମୟରେ ଶଙ୍କର ତାର କଂପାନୀ ଖୋଲିଥିବା ବିଜେପି କହିଛି । ପୋଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀରେ ସମ୍ପୃକ୍ତ ଥିବା ଶଙ୍କର ପୃଷ୍ଟିକୁ ଗିରଫ କରି ତାକୁ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ବେଳେ, ଶଙ୍କର ନୁହେଁ ବରଂ ଶଙ୍କରକୁ ଏହି କାମ ଦେଇଥିବା ବିଜେପି ଦାୟୀ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ ଲେନିନ ମହାନ୍ତି ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ପୋଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର (ସିଏମ୍ଓ)ର ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରିଛନ୍ତି । ଡ. ଲେନିନ ମହାନ୍ତି କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ ବଡ ମୁଣ୍ଡକୁ ଖସାଇ ଦେବାକୁ ରାଜ୍ୟ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ସିବିଆଇ ତଦନ୍ତ ଘୋଷଣା କରିଥିଲେ । ଏଯାବତ ସିବିଆଇ ପକ୍ଷରୁ ତଦନ୍ତ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଶଙ୍କର ପୃଷ୍ଟିକୁ ଗିରଫ କରିବା ପରେ, ଗଣମାଧ୍ୟମରେ ତାକୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । କିନ୍ତୁ ଆମେ ପ୍ରଶ୍ନ କରିବାକୁ ଚାହୁଁଛୁଯେ, ଗୃହ ବିଭାଗର ବିନା ଅନୁମୋଦନରେ ଓପିଆରବି ପରୀକ୍ଷା ପରିଚାଳନା ପାଇଁ ଆଟିଆଇକୁ ଦାୟିତ୍ୱ ଦେଇଥିଲା କି ? ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଯେଉଁ ଟଙ୍କା ଆଦାୟ କରାଯାଉଥିଲା, ତାହା ସିଧାସଳଖ ସମ୍ପୃକ୍ତ ବିଜେପି ନେତାମାନଙ୍କ ପକେଟକୁ ଯାଉଥିଲା ବୋଲି ବିଜେଡ଼ି କହିଛି । ଅପରପକ୍ଷରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତିଯେ, ନଈ ନଦେଖି ବିଜେଡ଼ି ଲଙ୍ଗଳା ହେଉଛି । ସେମାନେ ଅପେକ୍ଷା କରନ୍ତୁ । ପୂର୍ବ ସରକାରରେ କିଏ କିଏ ଏହି କେଳେଙ୍କାରୀରେ ସାମିଲ୍ ସବୁ ପଦାକୁ ଆସିବ ବୋଲି ସେ କହିଛନ୍ତି ।