ଡିଜେ ଓଲଟି ନାବାଳକ ମୃତ

ଧାମନଗର  : ବାପାର ବର୍ଷିକିଆ ଯାଇନି । ମା'ର ଆଖିରୁ ଲୁହ ଶୁଖିନି । ସଂସାର ସଜାଡ଼ି ହୋଇନି । ହେଲେ ଭଗବାନଙ୍କ କଣ ଥିଲା ନିଷ୍ପତ୍ତି, ଗୋଟିଏ ଝଟକା ରେ ସବୁ ସୁଖ ଛଡ଼ାଇ ନେଲେ । ୧୪ ବର୍ଷର ଧନର ଦୋଷ କଣ ଥିଲା । ସମସ୍ତଙ୍କ ସହ ହସୁଥିଲା । ଖେଳୁଥିଲା । ରଥଯାତ୍ରାର ମଜା ନେଉଥିଲା । ଗାଁରୁ ରଥ ବାହାରି ଛକରେ ଥିବା ମାଉସୀ ବାଡ଼ି ଯାଉଥିଲା । ଗାଁ ଟୋକାଏ ରଥ ଆଗେ ଆଗେ ଡିଜେ ବଜାଇ ଚାଲୁଥିଲେ । ଠାକୁର ରଥରୁ ଓହ୍ଲାଇ ମାଉସୀ ମା ମନ୍ଦିରରେ ପହଞ୍ଚୁ ପହଞ୍ଚୁ ଘଟିଗଲା ଅଘଟଣ । ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅନହରପୁର ଛକରେ ଡିଜେ ବକ୍ସ ଲଦା ହୋଇଥିବା ଟ୍ରାକ୍ଟର ଓଲଟି ଗାଁର ନାବାଳକର ଜୀବନ ଚାଲିଗଲା । ମନ୍ଦିର ପାଖରୁ ଅନହରପୁର ଯିବାବେଳେ କେନାଲ ବନ୍ଧ ଉପରେ ବୁଲାଇବାବେଳେ ଗାଡ଼ି ଲେଉଟି ପଡ଼ିବାରୁ କଡ଼ରେ ଯାଉଥିବା ଧନ ଉପରେ ଡିଯେ ବଡ଼ ବକ୍ସ ପଡ଼ିଯାଇଥିଲା । ସାଂଗରେ ଥିବା ଲୋକେ ବକ୍ସଗୁଡ଼ିକୁ ଉଠାଇବା ବେଳକୁ ନାବାଳକର ନିଶ୍ଚତ ହୋଇ ଯାଇଥିଲା । ସାଂଗେ ସାଂଗେ ଧାମନଗର ମେଡିକାଲକୁ ନେଇଥିଲେ ବି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ବାପ କିଶୋର ରାଉତର ମୃତୁ୍ୟ ପରେ ୭ ବର୍ଷର ଭଉଣୀ ଆଉ ବିଧବା ମା ସହ ରହୁଥିଲା ବାଳକ । ସ୍ୱାମୀ ଯିବା ପରେ ମା ପାଇଁ ଥିଲା ଆଶାର ବାଡ଼ି । ଘରେ କେହି ରୋଜଗାରିଆ ନ ଥିଲେ । ଜିଲ୍ଲାର କୌଣସି ମେଳା ମହୋସôବରେ ଡିଜେ ବାଜିବନି । ମାର୍ଚ୍ଚ ମାସରେ ଦୋଳ ମେଳଣ ପୂର୍ବରୁ ଏ ନିୟମାବଳୀ ଜାରି କରିଥିଲା ଭଦ୍ରକ ଜିଲ୍ଲା ପ୍ରଶାସନ । ହେଲେ ବାସ୍ତବରେ ତାହା କାର୍ଯ୍ୟକାରୀ ହେଲା ନାହିଁ । ଦୋଳ ମେଳଣରେ ଡିଜେ ଆଉ ଭାଇବ୍ରେଟର ବାଜିଲା । ଏପ୍ରିଲ ମାସରେ ତିହିଡ଼ି ବ୍ଲକ ହାଟୁଆରିରେ ଡିଜେ ଗାଡ଼ି ୧୧ କେଭି ତାରରେ ଲାଗିଯିବାରୁ ୨ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ତଥାପି ଜିଲ୍ଲା ପ୍ରଶାସନ ଚେତିଲା ନାହିଁ । ପ୍ରଶାସନର ମନମୁଖି କାର୍ଯ୍ୟପାଇଁ ଚାଲିଗଲା ଗୋଟେ ନିଷ୍ପାପ ଛୁଆର ଜୀବନ । ପୁଲିସ ଦୁର୍ଦ୍ଧଟଣା ଘଟାଇଥିବା ଡିଜେ ଗାଡି ଜବତ କରିଥିବା ବେଳେ ମାଲିକ ଓ କର୍ମଚାରୀ ଫେରାର ହୋଇଯାଇଛନ୍ତି  । ପୁଲିସ ମୃତ ବାଳକର ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି  । ଏନେଇ ଧାମନଗର ଥାନାରେ ଏକ ଅପମୃତ ମାମଲା ୧୭/୨୫ ରେ ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ଏଏସଆଇ ସୁଜିତ କହିଛନ୍ତି  ।