ସୀମାନ୍ତରେ ୫ଲକ୍ଷ ଇନାମୀ ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ଜିଲ୍ଲା ନେସଲନାର ଅଞ୍ଚଳରୁ ୫ଲକ୍ଷ ଇନାମୀ ମାଓବାଦୀ ବୁଧୁରୁ ପୋୟମକୁ ଗିରଫ କଲେ ସୁରକ୍ଷା ବଳ । ସୂଚନା ଅନୁଯାୟୀ, ଛତିଶଗଡ଼ ର ବିଜାପୁର ଜିଲ୍ଲା ଅନ୍ତର୍ଗତ ଓରଛା ପୋଲିସ ଓ ଆଇଟିବିପି ଜବାନ ମାନେ ଜାପଗୁଣ୍ଡା ଗ୍ରାମ ଅଞ୍ଚଳରେ ତଲାସୀ ଅଭିଯାନ କରୁଥିଲେ । ମାଓ ଦମନ ନିମନ୍ତେ ତଲାସୀ ଅଭିଯାନ ବେଳେ ପୋଲିସକୁ ଦେଖି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଲୁଚି ପଳାଇବାକୁ ଉଦ୍ୟମ କରିଥିଲେ । ଏହା ଦେଖି ସନେ୍ଦହ କରି ପୁଲିସ ଓ ଜବାନମାନେ ଏହି ବ୍ୟକ୍ତିଙ୍କୁ କାବୁ କରି ପଚରାଉଚରା କରିବା ବେଳେ, ସେ ତାଙ୍କ ନାମ ବୁଧୁରୁ ପୋୟାମ ବୋଲି କହି ନିଜେ ଜଣେ ମାଓବାଦୀ ବୋଲି ସ୍ୱୀକାର କରିଥିଲେ । ପଚରା ଉଚରା ସମୟରେ ସେ ୧୦ରୁ ଅଧିକ ମାଓ ହିଂସାକାଣ୍ଡରେ ସାମିଲ ଥିବା କହିଥିଲେ । ଜବାନ ମାନେ ତୁରନ୍ତ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।