ଚାଷୀଙ୍କ ମିଛ ଧରିଲା ସାଟେଲାଇଟ
ଭୁବନେଶ୍ୱର: ଧାନ ଚାଷ ହୋଇନି । ହେଲେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରାଯାଇଛି । ଶହେ କି ହଜାରେ ନୁହେଁ ୧ ଲକ୍ଷ ୮୧ ହଜାର ୬୮୪ ପ୍ଳଟରେ ଗଫଲତି ରହିଛି । ସାଟେଲାଇଟ ଓ ଅନ୍ୟ ସର୍ଭେରୁ ଚାଷୀଙ୍କ ମିଛ ଧରିବା ପରେ ଉଭୟ ଖାଦ୍ୟଯୋଗାଣ ଓ ସମବାୟ ବିଭାଗ ତତ୍ପର ହୋଇଯାଇଛି । ମିଛ ତଥ୍ୟ ଦେଇଥିବା ଚାଷୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି । ୭ ଦିନ ମଧ୍ୟରେ ଏହାର ଉତ୍ତର ନଦେଲେ ସେହିସବୁ ପ୍ଳଟରୁ ଧାନ କିଣା ବର୍ଷକ ପାଇଁ ବାତିଲ୍ ହେବବୋଲି କୁହାଯାଇଛି ।
ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ମେ’ ୩୧ରେ ଏନେଇ ଖାଦ୍ୟଯୋଗାଣ ବିଭାଗର ଅତିରିକ୍ତ ସଚିବ ସୁଦାମ ଚରଣ ମଣ୍ଡଳ ସମବାୟ ବିଭାଗର କମିଶନର-ସଚିବଙ୍କୁ ପତ୍ର ଲେଖିଥିଲେ । ପତ୍ରରେ ଉଲ୍ଲେଖ କରାଯାଇଥିଲାଯେ, ୨୦୨୪-୨୫ ରବି ଋତୁରେ ଧାନ ବିକ୍ରୟ କରିବାକୁ ଚାଷୀମାନେ ପଞ୍ଜୀକରଣ କରିଥିଲେ । ତେବେ ସେଥିମଧ୍ୟରୁ ୧ ଲକ୍ଷ ୮୧ ହଜାର ୬୮୪ ପ୍ଳଟରେ ଧାନ ଚାଷ ହୋଇନଥିଲା । ଚାଷୀମାନେ ମିଥ୍ୟା ତଥ୍ୟ ଦେଇଥିଲେ । ଯାହାକି ଆଇନ ଅନୁଯାୟୀ ଦଣ୍ଡନୀୟ । ତେଣୁ ଚାଷୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଉ । ୭ ଦିନ ମଧ୍ୟରେ ଏହାର ଉତ୍ତର ନଦେଲେ ସେହି ପ୍ଳଟକୁ ବର୍ଷକ ପାଇଁ ଧାନ କିଣାରୁବାଦ୍ ଦେବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏହି ପତ୍ର ଆଧାରରେ ଗତ ଜୁନ୍ ୯ରେ ସମବାୟ ବିଭାଗର ଅନୁ ସଚିବ ପତିତପାବନ ନାଥ ଶର୍ମା ସମବାୟ ସମିତିର ରେଜିଷ୍ଟ୍ରରଙ୍କୁ ପତ୍ର ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ । ଏହାର ଦେଢ଼ ମାସ ପରେ କୋଅପରେଟିଭ ରେଜିଷ୍ଟ୍ରାରଙ୍କ ନିଦ ଭାଙ୍ଗିଥିଲା । ଗତ ୨୮ ଜୁଲାଇରେ ଏନେଇ ସମସ୍ତ ଡେପୁଟି ରେଜିଷ୍ଟ୍ରାରଙ୍କୁ ପତ୍ର ଲେଖାଯାଇଛି । ଚାଷୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ପାଇଁ ଏକ ଫର୍ମାଟ ବି ଦିଆଯାଇଛି । ଲାମ୍ପସ, ପାକ୍ସ, ମହିଳା ଏସଏଚଜି ଓ ପିପିରେ ପଞ୍ଜୀକରଣ କରି ମିଛ ତଥ୍ୟ ଦେଇଥିବା ଚାଷୀଙ୍କୁ ନୋଟିସ୍ କରାଯାଇ ଜବାବ ତଲବ କରାଯିବ । ଯାହାକୁ ନେଇ ମିଛ ତଥ୍ୟ ଦେଇଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ତେବେ ପ୍ରକୃତରେ ଖୋଳତାଡ଼ ହେଲେ ଚାଷୀଙ୍କ ଠାରୁ ବେଶୀ ଅକଳରେ ସମବାୟ ସମିତି ଦଲାଲମାନେ ପଡ଼ିଯିବେ । ଜଳସେଚନ ଅଭାବରୁ ଅନେକ ସମବାୟ ସମିତି ଅଧିନ ଅଞ୍ଚଳରେ ରବି ଚାଷ ହୋଇନଥାଏ । ଏହି ସମୟରେ ସମବାୟ ସମିତିର ଦଲାଲମାନେ ସକ୍ରିୟ ହୋଇ ଚାଷୀଙ୍କ ପଞ୍ଜୀକରଣ କରିଥା’ନ୍ତି । ଚାଷୀଙ୍କ ଠାରୁ ଟିପ ଚିହ୍ନ କି ଦସ୍ତଖତ ସମ୍ବଳିତ ଦରଖାସ୍ତ ହିଁ ନିଆଯାଇଥାଏ । ଚାଷୀଙ୍କୁ ହାତ କରି ଦଲାଲମାନେ ଏଭଳି ଫନ୍ଦି କରିବାର ଅନେକ ନଜିର ରହିଛି । ତେଣୁ କେବଳ ଚାଷୀଙ୍କ ଠାରୁ କାଗଜପତ୍ରରେ କାରଣଦର୍ଶାଅର ଉତ୍ତର ନନେଇ ସମବାୟ ବିଭାଗ ପକ୍ଷରୁ ଯଦି ପ୍ରକୃତରେ ଖୋଳତାଡ଼ କରାଯାଆନ୍ତା ତେବେ ଅନେକ ଦଲାଲଙ୍କ ଅସଲ ଚେହେରା ପଦାକୁ ଆସିପାରନ୍ତା ।