ଖଣି ପ୍ରଭାବିତ ଗ୍ରାମଗୁଡ଼ିକରେ ଉଦ୍ଦିଷ୍ଟ ସୁବିଧା କରିବାକୁ ଉନ୍ନୟନ କମିଶନରଙ୍କ ଗୁରୁତ୍ୱ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଯୋଜନା ଏବଂ ସଂଯୋଜନ ବିଭାଗ ଦ୍ୱାରା ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ର କାର୍ଯ୍ୟ ଏବଂ ଅନୁଗୋଳ, ଯାଜପୁର ଏବଂ ଝାରସୁଗୁଡା ଜିଲ୍ଲାରେ ଡିଏମଏଫ୍ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଂପର୍କରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ସମକାଳୀନ ମୂଲ୍ୟାଙ୍କନ ( କନକରେଣ୍ଟ ଇଭାଲୁଏସନ)ର ଫଳାଫଳ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ । ଅନୁଗୋଳ, ଯାଜପୁର ଏବଂ ଝାରସୁଗୁଡାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟକାରିତା ସମକାଳୀନ ମୂଲ୍ୟାଙ୍କନ ଦର୍ଶାଉଛି ଯେ, ଓଡିଶାରେ ଖଣି ପ୍ରଭାବିତ କ୍ଷେତ୍ରରେ ସମାବେଶୀ ବିକାଶ ପାଇଁ ଏକ ପରିବର୍ତ୍ତନଶୀଳ ବ୍ୟବସ୍ଥା ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟର ଡିଏମଏଫ୍ ଜିଲ୍ଲାମାନଙ୍କରେ ମୋଟ ୩୨,୦୦୦ରୁ ଅଧିକ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ତନ୍ମଧ୍ୟରୁ ୧୩,୨୪୪ଟି ପ୍ରକଳ୍ପ ଏବଂ ଗ୍ରାମର ନମୂନା ଅଧ୍ୟୟନ ଓ ମୂଲ୍ୟାଙ୍କନ ପାଇଁ ନିଆଯାଇଥିଲା । ମୂଲ୍ୟାଙ୍କନରେ ଦେଖାଯାଇଛି ଯେ, ପାଇପ ଜଳ ଯୋଗାଣ, ରାସ୍ତା, ସ୍ୱାସ୍ଥ୍ୟ ସୁବିଧା ଏବଂ କୌଶଳ ବିକାଶ କାର୍ଯ୍ୟକ୍ରମ ଭଳି ନିବେଶରୁ ଉଚ୍ଚ ସାମାଜିକ- ଆର୍ଥିକ ବିକାଶ ଫଳାଫଳ ମିଳୁଛି ।
ଖଣିଜ ପ୍ରଭାବିତ ଗ୍ରାମଗୁଡିକରେ ବିଶେଷ କରି ଶିକ୍ଷା ଓ ସ୍ୱଚ୍ଛତା(ପରିମଳ) ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସମ୍ପ୍ରଦାୟ ଉପରେ ଦୃଢ଼ ପ୍ରଭାବ ପକାଇବା ଦ୍ୱାରା ସେମାନେ ବିଶେଷ ଉପକୃତ ହୋଇଛନ୍ତି । ରାଜ୍ୟ ସରକାର ଜିଲ୍ଲାଗୁଡିକୁ ପ୍ରକଳ୍ପ ତଥା ଗ୍ରାମଗୁଡ଼ିକରେ ତୃଣମୂଳସ୍ତରରୁ ସର୍ବେକ୍ଷଣ ପାଇଁ ଉତ୍ସାହିତ କରିବା ସହ ପ୍ରକଳ୍ପ ଯୋଜନାରେ ଏବଂ ରକ୍ଷଣାବେକ୍ଷଣକୁ ଅନ୍ତର୍ଭୁକ୍ତ କରିବା ଏବଂ ଡିଏମଏଫ୍ ପ୍ରତିଷ୍ଠାନ ସମୂହର ପଦକ୍ଷେପ ସଂପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଉତ୍ସାହିତ କରୁଛନ୍ତି । ଖଣିକ୍ଷେତ୍ରଗୁଡିକର ୫ କି.ମି. ପରିବ୍ୟାପ୍ତ ଅଞ୍ଚଳରେ ଖଣି ପ୍ରଭାବିତ ଅଞ୍ଚଳର ଗ୍ରାମଗୁଡ଼ିକରେ ଉଦ୍ଦିଷ୍ଟ ସୁବିଧା ଶତ ପ୍ରତିଶତ ସୁନିଶ୍ଚିତ କରିବାକୁ ଉନ୍ନୟନ କମିଶନରଙ୍କ ଗୁରୁତ୍ୱ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।