ଚିପିଲିମାରେ ୪ କୃଷି କଲେଜ ଖୋଲାଯାଉ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ସମ୍ବଲପୁର ଚିପିଲିମାରେ ୪ଟି କୃଷି-ସମ୍ପର୍କିତ କଲେଜ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ପଶୁ ଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନ ମହାବିଦ୍ୟାଳୟ, ଦୁଗ୍ଧ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ, ମତ୍ସ୍ୟ ମହାବିଦ୍ୟାଳୟ ଏବଂ କୃଷି-ବ୍ୟବସାୟ ପରିଚାଳନା ମହାବିଦ୍ୟାଳୟ ଆଦି ୪ଟି କଲେଜ ପ୍ରତିଷ୍ଠା ଉପରେ ଚିଠିରେ ଉଲ୍ଲେଖ କରାଯାଇଛି ।
ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ସମ୍ବଲପୁରରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅପାର ସମ୍ଭାବନା ରହିଛି । ସମ୍ବଲପୁର ଅଞ୍ଚଳର ଅନ୍ତର୍ନିହିତ କୃଷି ବିବିଧତା ଏବଂ କୃଷି-ସମ୍ପର୍କିତ ସମ୍ଭାବନା ସତ୍ତ୍ୱେ ଆମେ ଏଠାରେ ଇଛାନୁସାରେ କ୍ଷେତ୍ରଗତ ଅଭିବୃଦ୍ଧି ହାସଲ କରିପାରିନାହୁଁ । ଏହି କ୍ଷେତ୍ର ପାଇଁ ଏକ ଦୀର୍ଘକାଳୀନ, ସମାବେଶୀ ଏବଂ ଜ୍ଞାନ-ଚାଳିତ ବିକାଶ ପଥକୁ ଆଗେଇ ନେବା ପାଇଁ କୃଷି-ସମ୍ପର୍କିତ କ୍ଷେତ୍ର ଉପରେ କେନ୍ଦ୍ରିତ ସଂରଚିତ ପ୍ରତିଷ୍ଠାନ ଆମର ପ୍ରାଥମିକତା ହେବା ଆବଶ୍ୟକ । ଏଥିପାଇଁ ସମ୍ବଲପୁରର ଚିପଲିମାରେ ଉପରୋକ୍ତ ୪ କଲେଜ ପ୍ରତିଷ୍ଠା ପାଇଁ ପ୍ରତିଷ୍ଠା ଦେିଛନ୍ତି । ଧର୍ମେନ୍ଦ୍ର ଏହାମଧ୍ୟ ଲେଖିଛନ୍ତି ଯେ, ପ୍ରଥମତଃ ଏଠାରେ ପଶୁଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନ ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ଜରୁରୀ । ଏହି ପ୍ରତିଷ୍ଠାନ ତାଲିମପ୍ରାପ୍ତ ପଶୁଚିକିତ୍ସା ବିଶେଷଜ୍ଞ, ଗବେଷକ ଏବଂ ବୃତ୍ତିଗତଙ୍କ ପାଇଁ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବ ।
ସେହିପରି ଦୁଗ୍ଧ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ ସ୍ଥାପିତ ହେବା ଦ୍ୱାରା ଦୁଗ୍ଧ ଚାଷର ଗୁରୁତ୍ୱ ବୃଦ୍ଧି ହେବ ଏବଂ ଦୁଗ୍ଧ ପ୍ରଯୁକ୍ତିବିଦ୍ୟାରେ ଗବେଷଣାକୁ ପ୍ରୋତ୍ସାହିତ କରିବ । ତୃତୀୟରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏହା ମତ୍ସ୍ୟଚାଷ ପରିଚାଳନା ଏବଂ ଅମଳ ପରବର୍ତ୍ତୀ ପ୍ରଯୁକ୍ତିବିଦ୍ୟାରେ କ୍ଷମତା ନିର୍ମାଣ କରିବାରେ ସାହାଯ୍ୟ କରିବ ଓ ନୂତନ ଜୀବିକା ସୁଯୋଗ ସୃଷ୍ଟି କରିବ । ସେପଟେ କୃଷି-ବ୍ୟବସାୟ ପରିଚାଳନା ମହାବିଦ୍ୟାଳୟ ହେବା ଦ୍ୱାରା କୃଷି କ୍ରମଶଃ ବଜାର-ମୁଖୀ ହେବା ସହିତ, କୃଷି-ବ୍ୟବସାୟ, ଯୋଗାଣ ଶୃଙ୍ଖଳା ପରିଚାଳନା, ମାର୍କେଟିଂ  ଯୁବପିଢ଼ିଙ୍କୁ କୃଷି ମୂଲ୍ୟ ଶୃଙ୍ଖଳାରେ ନେତୃତ୍ୱ ନେବା ସହ ନବସୃଜନକୁ ସଶକ୍ତ କରିବ । ଏହି ବିଷୟକୁ ଦୃଷ୍ଟିରେ ରଖି ପ୍ରସ୍ତାବଗୁଡ଼ିକର ଅନୁମୋଦନ ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଏହି ପ୍ରତିଷ୍ଠାନଗୁଡ଼ିକର ପ୍ରତିଷ୍ଠା ଗ୍ରାମୀଣ ଯୁବକମାନଙ୍କୁ ନୂତନ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବାରେ ବହୁତ ସାହାଯ୍ୟ କରିବ । ଫଳସ୍ୱରୂପ ସମ୍ବଲପୁର ଅଞ୍ଚଳ ଏବଂ ସମଗ୍ର ରାଜ୍ୟର ସୁସ୍ଥ ଆର୍ଥିକ ବିକାଶ ସୁନିଶ୍ଚିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।