ପରିବା ଦର ଆକାଶଛୁଆଁ, ଖାଉଟି ହନ୍ତସନ୍ତ 

 ବୁଗୁଡ଼ା : ସଂପ୍ରତି ବୁଗୁଡ଼ା ସହରରେ ପନିପରିବାଦର ଆକାଶଛୁଆଁ ହୋଇଛି । ସ୍ଥାନୀୟ ପରିବା ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ପନିପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି । ପରିବା ବଜାରରେ ଏବେ ବିନ୍ସ କିଲୋ ୧୫୦ ଟଙ୍କା, କଞ୍ଚା ଲଙ୍କା ଓ ସିମ୍ଲା ଲଙ୍କା ୧୦୦ ଟଙ୍କା, ସଜନା ଛୁଇଁ ୮୦ ଟଙ୍କା, କଲରା ଓ କାଙ୍କଡ଼ ୭୦ ଟଙ୍କା, ବାଇଗଣ, ଫୁଲକୋବି ଓ ପୋଟଳ ୬୦ ଟଙ୍କା, ଝୁଲଣ, ଦେଶୀଆଳୁ, କଞ୍ଚା କଦଳୀ, ଟମାଟ, ଗାଜର ଓ ଜହ୍ନି ୫୦ ଟଙ୍କା, ଅମୃତ ଭଣ୍ଡା , ତୋରଡା, ପତ୍ରକୋବି, କାକୁଡି, ସାରୁ ଓ ଭେଣ୍ଡି ଆଦି ପରିବା କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି । ଏବେ ଯେକୌଣସି ପରିବାର ସର୍ବନିମ୍ନ ଦର ୪୦ଟଙ୍କା ରହିଥିବାବେଳେ ଏ ନେଇ ପରିବା ବଜାରରେ ଜଣେ ଗ୍ରାହକ କହିଛନ୍ତି ଯେ, ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ପରିବା କିଣିଲେ ବ୍ୟାଗ ଭର୍ତ୍ତି ହୋଇଯାଉଥିଲା । ଏବେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ ପୁରୁନି । ଅନ୍ୟପକ୍ଷରେ ଦରବୃଦ୍ଧି ହେବାରୁ ସେହିପରି ପରିବା ବ୍ୟବସାୟୀମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ପରିବା ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବହୁ ଗ୍ରାହକ ଏବେ ଅଧିକ ପରିବା କିଣିବାକୁ ପୂର୍ବ ଭଳି ଇଚ୍ଛା ପ୍ରକାଶ କରୁନାହାନ୍ତି ।  ଯେଉଁମାନେ କିଣୁଛନ୍ତି ସୋମାନେ ବହୁ କମ୍ ପରିମାଣର ପରିବା କିଣୁଥିବାରୁ ବ୍ୟବସାୟୀମାନଙ୍କ ଚିନ୍ତା ବଢ଼ିଯାଇଛି । ଲଗାଣ ବର୍ଷା ସାଙ୍ଗକୁ ଶ୍ରାବଣ ମାସରେ ନିରାମିଷ ଖାଦ୍ୟର ଚାହିଦା ଅଧିକ ଥିବାରୁ ସଂପ୍ରତି ପରିବା ଦର ବୃଦ୍ଧି ପାଇଛି ବୋଲି ପରିବା ବଜାର ବ୍ୟବସାୟୀଙ୍କ ଠାରୁ ପ୍ରକାଶ ପାଇଛି ।