ଫାଶୀଦଣ୍ଡରୁ ବଞ୍ଚିଗଲେ ନର୍ସ ନିମିଷା ପ୍ରିୟା , କେମିତି?
ୟେମନରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ମାମଲାରେ ଜେଲରେ ଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କ ପାଇଁ ଆଶାର କିରଣ ଦେଖିବାକୁ ମିଳିଛି । ନିମିଷାଙ୍କୁ ଆଜି (୧୬ ଜୁଲାଇ) ରେ ୟେମନ କୋର୍ଟ ଫାଶୀ ଦେଇଥାନ୍ତେ । ହେଲେ ଶେଷ ସମୟରେ ଏହି ଫାଶୀଦଣ୍ଡକୁ ଅଟକାଯାଇଛି । ୟେମନରେ ହୁତି ପ୍ରଶାସନର ଏଭଳି ନିଷ୍ପତ୍ତି ପଛରେ ଭାରତ ସରକାର କୂଟନୀତି ବୋଲି କୁହାଯାଉଛି । ଭାରତ ସରକାର ପୀଡ଼ିତ ପରିବାର ଓ ନିମିଷାଙ୍କ ପରିବାର ଭିତରେ ବୁଝାମଣା କରିବାକୁ ୟେମନ ସରକାରଙ୍କୁ କିଛି ଅତିରିକ୍ତ ସମୟ ମାଗିଥିଲେ । କାରଣ ଏହି ସମୟ ଭିତରେ ପୀଡ଼ିତ ପରିବାରକୁ ବ୍ଲଡମନି ବା ସହାୟତା ରାଶି ଗ୍ରହଣ କରିବାକୁ ରାଜି କରାଯାଇପାରିବ । କାରଣ ସରିଆ ଆଇନ୍ ମୁତାବକ ଯଦି ପୀଡ଼ିତ ପରିବାର ବ୍ଲଡମନି ନେବାକୁ ରାଜି ହୋଇଯାନ୍ତି ତେବେ ଅଭିଯୁକ୍ତଙ୍କ ଦଣ୍ଡ କୋହଳ ହୋଇପାରିବ ।
ଭାରତ ସରକାରଙ୍କ ତରଫରୁ ମାମଲା ଆରମ୍ଭରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଚେଷ୍ଟା କରାଯାଉଛି । ହେଲେ ୟେମନର କୂଟନୀତି ସ୍ଥିତିକୁ ଦେଖି ଏହା ଏକ ସମ୍ବେଦନଶୀଳ ମାମଲା ଭାବେ ଉଭା ହୋଇଛି । ସୂତ୍ର ସୂଚନା ମୁତାବକ ଭାରତୀୟ ଅଧିକାର ଲଗାତର ଭାବେ ୟେମନର ଜେଲ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏହି ପ୍ରଚେଷ୍ଟାର ଫଳ ହେଉଛି ମୃତ୍ୟୁଦଣ୍ଡ ସ୍ଥଗିତ କରାଯାଇଛି । ନିମିଷା ପ୍ରିୟାଙ୍କ ମାମଲା ମଧ୍ୟ ଭାରତର ସୁପ୍ରିମକୋର୍ଟରେ ବିଚାର ଚାଲିଛି । ସୋମବାର ଦିନ ଏହି ମାମଲାରେ ଶୁଣାଣି କ୍ରମରେ ଭାରତ ସରକାର ସୁପ୍ରିମକୋର୍ଟକୁ କହିଛନ୍ତି କି, ଯଥା ସମ୍ଭବ ମୃତ୍ୟୁଦଣ୍ଡ କୋହଳ କରାଯିବାକୁ ଚେଷ୍ଟା କରାଯାଉଛି । ଆର୍ଟନି ଜେନରାଲ ଆର, ଭେଙ୍କଟରମଣି କୋର୍ଟଙ୍କୁ କହିଛନ୍ତି କି, ୟେମନ ଏକ କୂଟନୈତିକ ମାନ୍ୟତା ପ୍ରାପ୍ତ ରାଷ୍ଟ୍ର ନୁହେଁ । ଆମେ ସେମାନଙ୍କ ସୀମା ପର୍ଯ୍ୟନ୍ତ ଯାଇପାରିବୁ, ଯାହା ଭାରତ ସରକାର କରୁଛନ୍ତି । ଆମେ ଏହାକୁ ସାର୍ବଜନୀନ କରିପାରିବୁ ନାହିଁ, ଏଥିପାଇଁ ଆମେ ପରଦା ପଛରେ ରହି ଯଥାସମ୍ଭବ ଚେଷ୍ଟା ଚଳାଇଛୁ । ଏବେ ଆଶା କରାଯାଉଛି କି, ଯଦି ପୀଡ଼ିତ ପରିବାର ବ୍ଲଡମନି ବା ସହାୟତା ରାଶି ନେବାକୁ ରାଜି ହୋଇଯାନ୍ତି ତେବେ ନିମିଷାଙ୍କୁ କ୍ଷମା ମିଳିପାରେ । ଏନେଇ ଭାରତ ସରକାର ଓ ନିମିଷାଙ୍କ ପରିବାର କୂଟନୈତିକ ଓ ସାମୁଦାୟିକ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି । ଏବେ ମୃତ୍ୟୁଦଣ୍ଡ ସ୍ଥଗିତ ରଖାଯାଇଛି । ହେଲେ ଅନ୍ତିମ ନିଷ୍ପତ୍ତି ହତ୍ୟାର ଶିକାର ହୋଇଥିବା ତଲାଲ ମହନ୍ଦି ପରିବାରର ସହମତି ଓ ସ୍ଥାନୀୟ କୋର୍ଟର ନିଷ୍ପତ୍ତି ଉପରେ ନିର୍ଭର କରେ ।