ବିଷାକ୍ତ ମଦ କାରବାର ବନ୍ଦ ଦାବି
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ବ୍ଲକ ବମ୍ପା ଗାଁରେ ବିଷାକ୍ତ ମଦପିଇ ୨ ଜଣଙ୍କର ମୃତୁ୍ୟ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ଅବକାରୀ ଓ ପୁଲିସ ପକ୍ଷରୁ ଚଢ଼ାଉ କରି କିଛି ଲୋକଙ୍କୁ ବାନ୍ଧିବା ସହ ବହୁ ପରିମାଣରେ ବିଷାକ୍ତ ମଦ ନଷ୍ଟ କରିଛି । ତେବେ ଏ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଅବୈଧ ବିଷାକ୍ତ ମଦ କାରବାର ବନ୍ଦ ପାଇଁ ରାଷ୍ଟ୍ରପତି ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଢେଙ୍କାନାଳ ଜିଲ୍ଲାରେ ଅବୈଧ ଚୋରା ଓ ବିଷାକ୍ତ ନିଶା କାରବାର ଅବାଧରେ ଚାଲିଛି । ପୂର୍ବ ସରକାର ଠାରୁ ବର୍ତ୍ତମାନର ବିଜେପି ସରକାର ପ୍ରତ୍ୟେକ ଗାଁରେ ମଦ ବିକ୍ରି କରିବା ପାଇଁ ଅର୍ଥ ବଦଳରେ ଲାଇସେନ୍ସ ଦେଉଛନ୍ତି । ସରକାର ମହୁଲି ଓ ହାଣ୍ଡିଆ ମଦ ତିଆରି କରିବାକୁ କହୁଥିବା ବେଳେ ମଦ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ମାଦକ ବଟିକା ବ୍ୟବହାର ଯୋଗୁଁ ଶୀଘ୍ର ଏବଂ ବେଶୀ ନିଶା ହେବା ପାଇଁ ବିଷାକ୍ତ ମଦ ତିଆରି କରି ବିକ୍ରି କରୁଛନ୍ତି । ଫଳରେ ନିଶା ସେବନ କରୁଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହୋଇ ମୃତୁ୍ୟ ବରଣ କରୁଛନ୍ତି । ସେମାନେ ପୁଣି ଅଭିଯୋଗ କରିଛନ୍ତି ଯେ,ଗଳି ଗଳିରେ ୧୦ ରୁ ୧୫ ଜଣ ବ୍ୟକ୍ତି ବିଭିନ୍ନ ଜାଗାରେ ଜନ ପ୍ରତିନିଧି ଓ ପୋଲିସ ମାନଙ୍କ ଛତ୍ରଛାୟାରେ ଏହି ନିଶା କାରବାର ବେଧଡକ ଭାବେ କରୁଛନ୍ତି ।
ଆମ୍ ଆଦମୀ ପାର୍ଟି ଦେଇଥିବା ଦାବିପତ୍ରରେ ଥିବା ୭ ଦଫା ଦାବିରେ ଜିଲ୍ଲାରେ ଅବୈଧ ନିଶା କାରବାର କଡାକଡି ବନ୍ଦ କରାଯାଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଉ, ମଦ ବ୍ୟବସାୟୀ ମାନେ ଖୋଲାଖୋଲି ଭାବରେ ଜନ ଗହଳି ସ୍ଥାନ ସ୍କୁଲ କଲେଜ ପାଖରେ, ହାଟ ବଜାରରେ ମଦ ବିକ୍ରି କରିବା ଓ ପିଇବା ବନ୍ଦ କରାଯାଉ ଆଦି ଉଲ୍ଲେଖ ରହିଛି ।