ସାରା ରାଜ୍ୟରେ ନିର୍ଯାତନା ନିଅାଁ :ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

 ଭଣ୍ଡାରିପୋଖରୀ: ଫକୀରମୋହନ ସ୍ୱୟଂସାସିତ ମହାବିଦ୍ୟାଳୟର ଛାତ୍ରୀ ମୃତୁକୁ ନେଇ ବର୍ତ୍ତମାନ ସାରା ରାଜ୍ୟ ଜଳୁଛି । ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡ଼ି ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ଚଳାଇଛନ୍ତି । ଖାଲି କଂଗ୍ରେସ ଓ ବିଜେଡ଼ି ନୁହେଁ, ବିଭିନ୍ନ ସଂଗଠନ ପକ୍ଷରୁ ଏହାର ବିକ୍ଷୋଭ କରାଯାଉଛି । ଏହିକ୍ରମରେ ଭଣ୍ଡାରିପୋଖରୀ ବ୍ଲକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦିପ୍ତିସୂର୍ଯ୍ୟ ବିଶ୍ୱାଳଙ୍କ ନେତୃତ୍ୱରେ ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାୟୀ କରାଯାଇ ଭଣ୍ଡାରିପୋଖରୀ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସେମାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଦଳର ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ଯୁବନେତା ଉକôଳ କେଶରୀ ମହାନ୍ତି, ଜଗତଜୀବନ ବାରିକ, ବିରେନ୍ଦ୍ର ନାୟକ, ଅବିନାଶ ରାଉତ, ନାଗେଶ୍ୱର ବେହେରା ପ୍ରମୁଖ ବହୁ କର୍ମୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । 
ଧାମନଗର: ଏ ସରକାର ନାରୀ ଓ ଛାତ୍ରୀଙ୍କୁ ସୁରକ୍ଷା ଦେଇପାରୁନି । ନୈତିକତା ଦୃଷ୍ଟିରୁ  ସରକାର ଇସ୍ତଫା ଦିଅନ୍ତୁ ବୋଲି ଧାମନଗର ବ୍ଲକ ବିଜେଡି ଅଭିଯୋଗ କରିଛି । ଧାମନଗର ବ୍ଲକ ବିଜେଡି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଏକ ପଥପ୍ରାନ୍ତ ସଭା ଧାମନଗର ସ୍ଥିତ ବିଜୁ ପଟ୍ଟନାୟକ ଛକଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡ଼ି କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ଦାବି କରି କୁଶ ପୁତ୍ତଳିକା ଦାହ କରିଥିଲେ । ବିଜେଡ଼ି ବ୍ଲକ ସଭାପତି ପ୍ରତାପ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେଅଶୋକ କୁମାର ନାୟକ, ଟୁନିବାଳା ବିଶ୍ୱାଳ, ପ୍ରଦୀପ ମଲ୍ଲିକ, ସାରଦା ପ୍ରସନ୍ନ ସାହୁ, ଜଗବନ୍ଧୁ ପ୍ରଧାନ, ଶୁଶାନ୍ତ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଭଦ୍ରକ: ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମେତ ଭଣ୍ଡାରିପୋଖରୀ ଆଞ୍ଚଳିକ ମହାବିଦ୍ୟାଳୟ, ଆଗରପଡା ମହାବିଦ୍ୟାଳୟ ପରିସରରେ ପ୍ରତିବାଦ କରାଯାଇଛି । ଆଗରପଡା ହରେକୃଷ୍ଣ ମହତାବ କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ ତରଫରୁ ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି । ଯେଉଁମାନେ ଏଥିରେ ସମ୍ପୃକ୍ତ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ସଂଜୀବ୍ କୁମାର ମଲ୍ଲିକଙ୍କ ଆହ୍ୱାନ କ୍ରମେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫ୍ଲୁଲ ଯେନା, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବନ୍ତ ବ୍ଲକ୍ ବିଜୁ ଛାତ୍ର ଜନତା ଦଳର ସଭାପତି  ସତ୍ୟସାଦନ ବେଜ, ବିଜୁ ଯୁବ ଜନତା ଦଳର ରାଜ୍ୟ ସହ ସମ୍ପାଦକ ଲାଲା ସ୍ୱାଇଁଙ୍କ ସମେତ ନେତା କର୍ମୀ ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।