ଚିଲିକାରେ ବଢ଼ିଲେ ପକ୍ଷୀ

ଚିଲିକାରେ ବଢ଼ିଲେ ପକ୍ଷୀ
  • ଏବର୍ଷ ଆସିଛନ୍ତି ୧୧ ଲକ୍ଷ ୩୨ ହଜାର

  • କେବଳ ନଳବଣରେ ୩ ଲକ୍ଷ ୯୭ ହଜାର

ଭୁବନେଶ୍ୱର : ଚିଲିକାରେ ଚଳିତ ବର୍ଷର ପକ୍ଷୀ ଗଣନା ଶେଷ ହୋଇଛି । ଚଳିତ ବର୍ଷ ସମଗ୍ର ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ଟି ପକ୍ଷୀଙ୍କ ସମାଗମ ହୋଇଛି । କେବଳ ପକ୍ଷୀ ଅଭୟାରଣ୍ୟ ନଳବଣରେ ୧୦୬ ପ୍ରଜାତିର ୩ ଲକ୍ଷ ୯୭ ହଜାର ୫୮୭ଟି ପକ୍ଷୀ ଥିବା ସଦ୍ୟ ସମାପ୍ତ ପକ୍ଷୀ ଗଣନାରୁ ଜଣାପଡିଛି । ଗତବର୍ଷ ସମଗ୍ର ଚିଲିକାରେ ୧୧ ଲକ୍ଷ ୨୭ହଜାର ୨୨୮ଟି ପକ୍ଷୀମାନଙ୍କ ସମାଗମ ହୋଇଥିବା ବେଳେ ପକ୍ଷୀ ଅଭୟାରଣ୍ୟ ନଳବଣରେ ୩ଲକ୍ଷ ୪୩ହଜାର ୨୩୬ଟି ପକ୍ଷୀଙ୍କ ସମାଗମ ହୋଇଥିଲା । ଗତବର୍ଷ ଠାରୁ ଚଳିତ ବର୍ଷ ୫୪ ହଜାର ୩୬୧ ଅଧିକ ପକ୍ଷୀ ଆସିଛନ୍ତି । ସେଥିମଧ୍ୟରୁ ୧୦୬ ପ୍ରଜାତିର ୧୧  ଲକ୍ଷ ୧୦ ହଜାର ୨୫୭ଟି ବିଦେଶୀ ପକ୍ଷୀ ଥିବା ବେଳେ ୯୦ ପ୍ରଜାତିର ୨୧ ହଜାର ୯୪୩ଟି ଦେଶୀୟ ପକ୍ଷୀ ଥିବା ଜଣାପଡିଛି ।

  ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗଙ୍କ ସଂଖ୍ୟା ୧୮ ଶହ ଥିବା ରିପୋର୍ଟରୁ ଜଣାପଡିଛି । ୧୫.୫୩ ବର୍ଗ କିଲୋମିଟର ପରିବ୍ୟାପ୍ତ ପକ୍ଷୀ ଅଭୟାରଣ୍ୟ ନଳବଣରେ ଚଳିତବର୍ଷ ୧୦୬ ପ୍ରଜାତିର ୩ ଲକ୍ଷ ୯୭ ହଜାର ୫୮୬ଟି ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଗତ ୨୦୨୪/୨୫ରେ ୩ଲକ୍ଷ ୪୩ହଜାର ୨୩୬ଟି ସମାଗମ ହୋଇଥିଲା । ଅର୍ଥାତ ନଳବଣକୁ ଗତବର୍ଷ ଅପେକ୍ଷା ୪୯୭୨ଟି ଅଧିକ ପକ୍ଷୀ ସଂଖ୍ୟା ଜଣାଯାଇଛି । ପକ୍ଷୀ ଗଣନା ଅନୁସାରେ ସମଗ୍ର ଚିଲିକାରେ ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ନରଦ୍ଡନ ପ୍ରିଣ୍ଟଲ ୨ଲକ୍ଷ ୧୮ ହଜାର ୯୯୩ଟି, ୟୁରାସିୟମ ୟୁଜିଅନ ୧  ଲକ୍ଷ ୫୩ ହଜାର ୩୧୮ଟି ଥିବା ବେଳେ ଗଡ଼ୱାଲ ୧ ଲକ୍ଷ ୪୩ହଜାର ୧୨୭ଟି ପକ୍ଷୀ ଥିବା ଗଣନାରୁ ଜଣାପଡିଛି । ବାଲୁଗାଁ ବନ୍ୟପ୍ରାଣୀ ଅଧିନସ୍ଥ ୫ଟି ରେଞ୍ଜ ଚିଲିକା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ରମ୍ଭା ରେଞ୍ଜ ଅଞ୍ଚଳକୁ ୨୨ ଜୋନରେ ବିଭକ୍ତ କରାଯଇ ପକ୍ଷୀଗଣନା ହୋଇଥିଲା । ୧୩୦ ଜଣ ଗଣନାକାରୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।