‘ପ୍ରଗତି ପ୍ରବାହ’ ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି : ମୋହନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉନ୍ମୋଚିତ ହୋଇଛି ରାଜ୍ୟ ସରକାରଙ୍କ ମୁଖପତ୍ର "ପ୍ରଗତି ପ୍ରବାହ’ । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତିକାଟିକୁ ମୁଖ୍ୟମନ୍ତ୍ରୀ ନିଜ ବାସଭବନ ତଥା ଆବାସିକ କାର୍ଯ୍ୟାଳୟ ଠାରେ ଉନ୍ମୋଚନ କରିଥିଲେ । ପ୍ରଗତି ପ୍ରବାହ, ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଏବଂ ଏହି ପୁସ୍ତିକାର ପ୍ରକାଶନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଧନ୍ୟବାଦ ଦେଇଥିଲେ । ସୂଚନାଯୋଗ୍ୟଯେ, "ପ୍ରଗତି ପ୍ରବାହ’ର ଉନ୍ମୋଚନ ସମୟରେ ଝାରସୁଗୁଡା ଜିଲ୍ଲାର ଲଖନପୁର ଗ୍ରାମର ଜଣେ ସଫଳ ଯୁବ ଚାଷୀ ହୃଦାନନ୍ଦ ବିଶି ମଧ୍ୟ ଉପସ୍ଥିତ ଥିଲେ । ଏହି ପୁସ୍ତିକାରେ ହୃଦାନନ୍ଦଙ୍କ ସଫଳ କାହାଣୀ ମଧ୍ୟ ଉଲ୍ଲେଖ ଅଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୃଦାନନ୍ଦ ବିଶିଙ୍କୁ ସମ୍ମାନିତ କରିବା ସହିତ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏହାସହିତ ଆଗକୁ କିଭଳି ଆହୁରି ସରକାରଙ୍କ ହିତାକାଂକ୍ଷୀ ଯୋଜନା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପିଏମ କିଷାନ ଓ ‘ସିଏମ- କିଷାନ' ମାଧ୍ୟମରେ ଆହୁରି ନିଜର କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । "ଆମ ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି । ଚାଷୀଟିଏ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ "ଆତ୍ମନିର୍ଭରଶୀଳ ଭାରତ’ର ଉଦ୍ଦେଶ୍ୟକୁ ପୂରଣ କରୁଛି । ଚାଷୀ ନିଜ ଫସଲ ଦ୍ୱାରା ଗୋଟିଏ ପରିବାର ନୁହେଁ ଅନେକ ପରିବାର ଚଳାଇବାର କ୍ଷମତା ରଖୁଛି । ଯାହାକି ଆମ ଦେଶର ପ୍ରକୃତ ଷ୍ଟାର୍ଟ-ଅପ ବୋଲି ମୁଖ୍ୟମନ୍ତ୍ରୀ ସଫଳ ଚାଷୀ ଶ୍ରୀ ବିଶିଙ୍କ ସହ କଥା ହୋଇ ତାଙ୍କୁ କହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ, ପଦାର୍ଥବିଜ୍ଞାନରେ ବିଏସସି, ମେକାନିକାଲ ଇଞ୍ଜିନିୟରିଂ, ଏମବିଏ ଭଳି ଉଚ୍ଚଶିକ୍ଷା ଲାଭ କରିବା ପରେ ମଧ୍ୟ ବାହାରେ ଚାକିରି ନକରି ନିଜ ମାଟିରେ ସୁନା ଫଳାଇବା ନିଶାରେ ଶ୍ରୀ ବିଶି ଚାଷକୁ ଆପଣାଇଥିଲେ । ଆଧୁନିକ ଜ୍ଞାନକୌଶଳ ଯଥା ଡ୍ରିପ୍ ଇରିଗେସନ୍ ପଦ୍ଧତିରେ ଚାଷ କରି ସେ ଆଜି ଜଣେ ‘ଲକ୍ଷପତି ଚାଷୀ’ ଭାବେ ଉଭା ହୋଇଛନ୍ତି । ତାଙ୍କର ଏହି ପ୍ରେରଣାଦାୟୀ ସଫଳତା କାହାଣୀ ‘ପ୍ରଗତି ପ୍ରବାହ' ପତ୍ରିକାରେ ସ୍ଥାନ ପାଇଛି ।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶିଙ୍କୁ ସରକାରୀ ସହାୟତା ଓ ସବସିଡି ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ସମସ୍ତ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି କୋଲ୍ଡ କୃଷି ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲାପାଳ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ପଷ୍ଟ କରିଥିଲେ । ଏଥିସହିତ ବିଭିନ୍ନ କୃଷି ଯୋଜନାର ସୁଯୋଗ ନେଇ ନିଜର କୃଷି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଝାରସୁଗୁଡା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
Samir Kumar Rout