ଏକ ରାଷ୍ଟ୍ରବାଦୀ ଶ୍ରମିକ ସଂଗଠନ
ଡ.ସମନ୍ୱୟ ନନ୍ଦ : ଦେଶର ଶ୍ରମ କ୍ଷେତ୍ରରେ ୧୯୫୫ ମସିହା ଜୁଲାଇ ମାସ ୨୩ ତାରିଖ ଦିନ ଲୋକମାନ୍ୟ ତିଳକଙ୍କ ପୁଣ୍ୟତିଥି ଅବସରରେ ଭୋପାଳ ଠାରେ ଏକ ନୂଆ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଗଠନ ପ୍ରତିଷ୍ଠା ହୋଇଥିଲା । ରାଷ୍ଟ୍ରଋଷି ଦତୋପନ୍ତ ଠେଙ୍ଗଡୀ ଏହି ସଂଗଠନର ମୂଳଦୁଆ ରଖିଥିଲେ ଓ ଏହି ସଂଗଠନ ଏବେ ୭୦ ବର୍ଷ ପୂରଣ କରୁଛି । ସେତେବେଳ ଯାଏ ଶ୍ରମ କ୍ଷେତ୍ରରେ ବାମପନ୍ଥୀ ଓ ସମାଜବାଦୀ ଶ୍ରମ ସଂଗଠନ ମାନଙ୍କର ବହୁଳ ପ୍ରଭାବ ଥିଲା । ହେଲେ ଭାରତୀୟତା ଓ ରାଷ୍ଟ୍ରବାଦର ଆଧାରରେ ତିଆରି ହୋଇଥିବା ଏହି ନୂତନ ସଂଗଠନ ତାର କାର୍ଯ୍ୟକର୍ତ୍ତା ମାନଙ୍କର ତ୍ୟାଗ, ତପସ୍ୟା ବଳିଦାନ କାରଣରୁ ଖୁବ କମ ବର୍ଷ ମଧ୍ୟରେ ଦେଶର ସବୁ ଠାରୁ ବଡ ଶ୍ରମ ସଂଗଠନରେ ପରିଣତ ହୋଇ ପାରିଥିଲା ।
ଭାରତୀୟ ମଜଦୁର ସଂଘର ଆଚାର ଓ ବିଚାର ଦେଶର ଅନ୍ୟ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ଠାରୁ ଭିନ୍ନ । ଭାରତୀୟ ସଂସ୍କୃତି ହେଉଛି ବିଏମଏସର ମୂଳ ଆଧାର । ଭାରତୀୟତାର ମୂଳଦୁଆ ଉପରେ ବିଏମଏସର ବିଚାରଧାରା ଠିଆ ହୋଇଛି । ବିଭିନ୍ନ ବାମପନ୍ଥୀ ବିଚାରଧାରା ବିଶିଷ୍ଟ ଶ୍ରମିକ ସଂଗଠନ ଗୁଡିକର ବିଚାରଧାରା ବିଦେଶୀ ବିଚାର ଉପରେ ପର୍ଯ୍ୟବେଷିତ ହୋଇଥିବା ବେଳେ ବିଏମଏସର ବିଚାରଧାରା ଏହା ଠାରୁ ସମ୍ପୂର୍ଣ ଭିନ୍ନ । କମ୍ୟୁନିଷ୍ଟ ବିଚାରଧାରା ହେଉ ବା ଅନ୍ୟ କୌଣସି ପାଶ୍ଚାତ୍ୟ ବିଚାରଧାରା ସମସ୍ତେ ଜୀବନକୁ ଭାଗ- ଭାଗ କରି ଅର୍ଥାତ କମ୍ପାର୍ଟମେଂଟାଲ ଭାବେ ଦେଖିଥାନ୍ତି । କିନ୍ତୁ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ ହେଲା ଯେ ସେ ଜୀବନକୁ ଭାଗ ଭାଗ କରି ନ ଦେଖି ‘ଏକ ସମଗ୍ର’ ଭାବେ ଦେଖିଥାଏ । ତେଣୁ ଭାରତୀୟ ସଂସ୍କୃତିର ଦୃଷ୍ଟିକୋଣ ହେଉଛି ସାମଗ୍ରିକ । ଜୀବନର ବିବିଧତା ଓ ବହୁଳତା ତ ନିଶ୍ଚିତ ଭାବେ ରହିଛି ହେଲେ ଭାରତୀୟ ସଂସ୍କୃତି ସଦୈବ ଏହି ବିବିଧତା ମଧ୍ୟରେ ଏକତ୍ୱର ଭାବକୁ ଖୋଜିବାର ପ୍ରୟାସ କରିଥାଏ । ଜୀବନର ବିବିଧତା କେବଳେ ଆନ୍ତରିକ ଏକତାର ହିଁ ଅଭିବ୍ୟକ୍ତି ହୋଇଥାଏ । ମଂଜିର ଉଦାହରଣ ଏଠାରେ ଦିଆଯାଇ ପାରେ । ମଂଜିର ଏକତା ବିଭିନ୍ନ ରୂପରେ ପ୍ରକଟ ହୋଇଥାଏ ଯେପରିକି ଚେର, ଶାଖା, ପତ୍ର, ଫୁଲ ଓ ଫଳ ଆଦି । ବିବିଧତାରେ ଏକତା ଓ ବିଭିନ୍ନ ରୂପରେ ପ୍ରକଟ ହେଉଥିବା ଏହି ଏହି ଏକତାର ଅଭିବ୍ୟକ୍ତି ବୋଲି ଭାରତୀୟ ସଂସ୍କୃତି ସ୍ୱୀକାର କରିଥାଏ । ଏକାତ୍ମ ମାନବଦର୍ଶନର ଏହା ହେଉଛି ମୂଳ ବିଚାର । ଯଦି ଏହି ସତ୍ୟକୁ ସ୍ୱୀକାର କରି ନିଆଯାଏ ତେବେ ବିଭିନ୍ନ ଶକ୍ତି ମାନଙ୍କ ମଧ୍ୟରେ ସଂଘର୍ଷର କୌଣସି କାରଣ ଆଉ ରହି ଯିବ ନାହିଁ । ସଂଘର୍ଷ ସଂସ୍କୃତି କିମ୍ବା ପ୍ରକୃତିର ଲକ୍ଷଣ ନୁହେଁ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଭାରତୀୟ ସଂସ୍କୃତିର ଅନେକ ଗୁଣ ଯେପରି କି ଶାଶ୍ୱତତା, ଗତିଶୀଳତା, ସମନ୍ୱୟଶୀଳତା ଓ ଉଦାରତାକୁ ପ୍ରତିପାଦିତ କରିଛନ୍ତି । ଭାରତୀୟ ମଜଦୁର ସଂଘର ବିଚାରକୁ ଏହି ଭାରତୀୟ ବିଚାର ହିଁ ଦିଗ ପ୍ରଦାନ କରିଥାଏ ।
ଅନେକ ଲୋକ ବିଶେଷ ଭାବେ ପାଶ୍ଚାତ୍ୟ ବିଚାରରେ ଅନୁପ୍ରାଣିତ ଲୋକ ମାନେ ମନେ କରନ୍ତି ଯେ ଶ୍ରମ ସମ୍ପର୍କୀୟ ସମସ୍ୟା କେବଳ ଜନସଂଖ୍ୟାର ଗୋଟିଏ ବର୍ଗ ଅର୍ଥାତ ଶ୍ରମିକ ବର୍ଗ ସହ ଜଡିତ । ବିଏମଏସ ଏହାକୁ ସ୍ୱୀକାର କରେ ନାହିଁ । ବିଏମଏସର ମତ ହେଲା ଯେ ଶ୍ରମିକ ମାନଙ୍କର କାମ କରିବା କିମ୍ବା ଜୀବନ ଜୀଇଁବାର ସ୍ଥିତି ଖରାପ ହେବା କେବଳ ଶ୍ରମିକ ବର୍ଗର ସମସ୍ୟା ନୁହେଁ ବରଂ ଏହା ଏଭଳି ଏକ ରୋଗ ଯାହା ରାଷ୍ଟ୍ର ଓ ସମାଜକୁ ପ୍ରଭାବିତ କରିଥାଏ । ଶ୍ରମିକ ବର୍ଗର ଲୋକ ମାନେ ହେଉଛନ୍ତି ସମାଜର ଏକ ଅଭିନ୍ନ ଓ ଗୁରୁତ୍ୱପୂର୍ଣ ଅଂଶ । ତେଣୁ ସ୍ୱାଭାବିକ ଭାବେ ତାଙ୍କର ସମସ୍ୟାର ସ୍ୱରୂପ କୌଣସି ବର୍ଗର ନୁହେଁ ବରଂ ରାଷ୍ଟ୍ରୀୟ । ସେମାନଙ୍କର ସ୍ୱାର୍ଥ ରକ୍ଷା ଓ ତାଙ୍କୁ ପ୍ରୋତ୍ସାହନ ଦେବା ସମଗ୍ର ରାଷ୍ଟ୍ରର ସ୍ୱାଭାବିକ ଦାୟିତ୍ୱ । ବିଏମଏସ ଏହି ମୌଳିକ ରାଷ୍ଟ୍ରୀୟ ଦାୟିତ୍ୱକୁ ନିର୍ବାହ କରିବାକୁ ସଂକଳ୍ପ ବଦ୍ଧ ହୋଇ ଗତ ୭୦ ବର୍ଷ ଧରି କାର୍ଯ୍ୟ କରି ଆସୁଛି । । ମାର୍କ୍ସବାଦୀ ଓ ସମାଜବାଦୀ ବିଚାରଧାରାର ଲୋକ ମାନେ ନିଜର ଶ୍ରମିକ ସଂଗଠନ ଗୁଡିକୁ ବର୍ଗ ସଂଘର୍ଷକୁ ତୀବ୍ର କରିବା ପାଇଁ ଏକ ସାଧନ ଭାବେ ବ୍ୟବହାର କରିଥାନ୍ତି ଯାହାର ଅନ୍ତିମ ଉଦେ୍ଦଶ୍ୟ ହେଉଛି ସମାଜବାଦର ପ୍ରତିଷ୍ଠା । ବିଏମଏସର ବିଚାର ଏମାନଙ୍କ ଠାରୁ ସମ୍ପୂର୍ଣ ଭିନ୍ନ । ବିଏମଏସ ରାଷ୍ଟ୍ରବାଦ ଓ ଏକାତ୍ମତାର ପକ୍ଷଧର । ତେଣୁ ବିଏମଏସ ବର୍ଗ ସଂଘର୍ଷର ସିଦ୍ଧାନ୍ତକୁ ଅସ୍ୱୀକାର କରିଥାଏ । ବର୍ଗ ସଂଘର୍ଷକୁ ଯଦି ଚରମ ସୀମା ଯାଏ ନିଆଯାଏ ତେବେ ତାହା ରାଷ୍ଟ୍ରର ବିଘଟନର କାରଣ ହୋଇ ପାରେ । ରାଷ୍ଚ୍ରର ସମସ୍ତ ନାଗରିକ ହେଉଛନ୍ତି ଗୋଟିଏ ଶରୀରର ଅଲଗା ଅଲଗା ଅଙ୍ଗ । ସେମାନଙ୍କର ସ୍ୱାର୍ଥ ପରସ୍ପରର ବିରୋଧୀ ନୁହେଁ । ବିଏମଏସ ଘୃଣା , ଶତ୍ରୁତା ଆଧାରିତ ବର୍ଗ ସଂଘର୍ଷର ବିରୋଧ କରିଥାଏ, କିନ୍ତୁ ସର୍ବଦା ଅସମାନତା, ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସଂଘର୍ଷ କରିଥାଏ ।
ରାଷ୍ଟ୍ରର ସମୃଦ୍ଧି ପାଇଁ ଦାରିଦ୍ର୍ୟ ଦୂରୀକରଣ ଉଦେ୍ଦଶ୍ୟରେ ବିଏମଏସ ଅଧିକତମ ଉତ୍ପାଦନ ଓ ନ୍ୟାୟ ସଂଗତ ବିତରଣ ଉପରେ ଜୋର ଦେଇଥାଏ । ପୁଂଜିବାଦ ଉତ୍ପାଦନ ପକ୍ଷକୁ ଅତ୍ୟଧିକ ମହତ୍ୱ ଦେଇଥାଏ । ସେହିପରି ସମାଜବାଦ ବିତରଣ ପକ୍ଷ ଉପରେ ଅତ୍ୟଧିକ ଜୋର ଦେଇଥାଏ । କିନ୍ତୁ ବିଏମଏସ ଉଭୟକୁ ଗୁରୁତ୍ୱ ଦେଇଥାଏ । ବିଏମଏସର ସ୍ପଷ୍ଟ ମତ ଯେ ଅଧିକତମ ଉତ୍ପାଦନ ଶ୍ରମିକ ମାନଙ୍କର ରାଷ୍ଟ୍ରୀୟ କର୍ତ୍ତବ୍ୟ ହୋଇଥିବା ବେଳେ ଉତ୍ପାଦନର ଫଳକୁ ନ୍ୟାୟପୂର୍ଣ ବିତରଣ ମଧ୍ୟ ଶ୍ରମିକର ଅଧିକାର । ବିଏମଏସର ଏକ ସ୍ଲୋଗାନ ‘ଦେଶ ହିତ ମେଁ କରେଙ୍ଗେ କାମ, କାମ କେ ଲେଙ୍ଗେ ପୂରା ଦାମ ’ରୁ ଏହି ବିଚାର ପ୍ରତିଫଳିତ ହୋଇଥାଏ ।
ଯେପରିକି ପୂର୍ବରୁ ଉଲ୍ଲେଖ କରାଯାଇଛି ବିଏମଏସ ହେଉଛି ଏକ ମାତ୍ର ଶ୍ରମିକ ସଂଗଠନ ଯାହା ଭାରତୀୟ ମୂଲ୍ୟବୋଧ ଆଧାରରେ ଅନୁପ୍ରାଣିତ । ବିଏମଏସ ବର୍ତ୍ତମାନର ସିଧା ସିଧା ଆମନା- ସାମନା ହେଉଥିବା ପ୍ରଣାଳୀର ବିରୋଧୀ । ବିଏମଏସ ସଂଘର୍ଷର ବ୍ୟବସ୍ଥାରୁ ସହମତିର ବାତାବରଣ ଆଡକୁ ବଢିବାର ପକ୍ଷଧର ଅଟେ । ଔଦ୍ୟୋଗିକ (ଶିଳ୍ପ) ସମ୍ପର୍କରେ ଏଭଳି ସାମଂଜସ୍ୟପୂର୍ଣ ବାତାବରଣ ହେବା ଆବଶ୍ୟକ ଯେଉଁ ଠାରେ ପ୍ରତ୍ୟେକ ପ୍ରସଙ୍ଗକୁ ତୃଣମୂଳ ସ୍ତରରେ ହିଁ ନିଯୁକ୍ତି ଦାତା ଓ ଶ୍ରମିକ ଏକାଠି ବସି ସମାଧାନ କରିବା ଉଚିତ । ଏହା ହିଁ ଦ୍ୱିପକ୍ଷୀୟତା । ତ୍ରିପକ୍ଷୀୟତା (ଟ୍ରାଇପାର୍ଟିଜମ) ସେତେବେଳେ ଆବଶ୍ୟକ ହେବା ଉଚିତ ଯେତେବେବେଳେ ଦ୍ୱିପକ୍ଷୀୟତା ବିଫଳ ହୋଇଯାଏ । ସରକାରଙ୍କ ଭୂମିକା ପରିତ୍ରାଣାୟ ସାଧୁନାଂର ସିଦ୍ଧାନ୍ତ ଉପରେ ଆଧାରିତ ହେବା ଆବଶ୍ୟକ ଅର୍ଥାତ ସଦଗୁଣ ସମ୍ପନ୍ନ ଓ ନିର୍ବଳର ରକ୍ଷା କରିବା ।
ଭୁବନେଶ୍ୱର