ନିଶା କବଳରେ ଯୁବଗୋଷ୍ଠୀ

ବିଭିନ୍ନ ସମୟରେ ବିଜୁ ପଟ୍ଟନାୟକ ଆର୍ନ୍ତଜାତିକ ବିମାନବନ୍ଦରରୁ ଗଞ୍ଜେଇ, ଅଫିମ, ଚରସ, ଏଲ୍ଏସ୍ଡ଼ି ଭଳି ଉକ୍ରଟ ନିଶାଦ୍ରବ୍ୟ ଜବତ୍ ହେଉଛି । ଆର୍ନ୍ତଜାତିକ ବିମାନ ଉଡାଣ ସମୟରେ ବିଭିନ୍ନ ଦେଶରୁ ଆସୁଥିବା ଏହି ନିଶାଦ୍ରବ୍ୟ ସୁରକ୍ଷା ଚେକିଂ ଦେଇ କିଭଳି ଉଡ଼ାଜାହାଜ ଉପରକୁ ଆସୁଛି ତାହା ହିଁ ବଡ଼କଥା । କାରଣ ବିମାନଯାତ୍ରାକୁ ସୁରକ୍ଷିତ ରଖିବା ପାଇଁ ଆର୍ନ୍ତଜାତିକ ସ୍ତରରେ ନିରାପତ୍ତା ବ୍ୟବସ୍ଥା ସମଗ୍ର ବିଶ୍ୱରେ ସମାନ । ନିରାପତ୍ତା ବ୍ୟବସ୍ଥାକୁ ଅନ୍ୟ ଦେଶମାନେ ଅଣଦେଖା କରି ଦେଉଥିବାରୁ ଭୁବନେଶ୍ୱରକୁ ଆସୁଥିବା ଆର୍ନ୍ତଜାତିକ ବିମାନରେ ନିଶାଦ୍ରବ୍ୟ ଆମ ଦେଶ ଭିତରକୁ ଆସିପାରୁଛି । ସାଧାରଣତଃ ଯାତ୍ରା ଶେଷ ପରେ ଯାତ୍ରୀମାନଙ୍କର ଲଗେଜ୍ ଚେକିଂ ହେବାର ବ୍ୟବସ୍ଥା ନଥାଏ । ଏହାସତ୍ତ୍ୱେ ଗତ ୨୯ ତାରିଖ ଦିନ ଭୁବନେଶ୍ୱର ବିମାନବନ୍ଦରରୁ ୩୦ କୋଟି ଟଙ୍କାର ଉଚ୍ଚମାନର ଗଞ୍ଜେଇ କେତେଜଣ ଯାତ୍ରୀଙ୍କ ଠାରୁ ଜବତ୍ ହୋଇଛି । ଏହି ଘଟଣାରେ ଯାତ୍ରୀମାନେ ତ ବର୍ତ୍ତମାନ ଗିିରଫ ହେଲେ, କିନ୍ତୁ ସୁରକ୍ଷା ଚେକିଂର ବଳୟ ଭେଦ କରି ଯେଉଁ ସ୍ଥାନରୁ ସେମାନେ ବିମାନ ଯାତ୍ରା ଆରମ୍ଭ କରିଥିଲେ ସେ ସ୍ଥାନର ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏପରି ନହେଲେ ଆର୍ନ୍ତଜାତିକ ଯାତ୍ରୀ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିବ ଏବଂ ଗୋଟିଏ ଦେଶର ଅପରାଧୀମାନେ ଅନ୍ୟ ଦେଶରେ ପହଞ୍ଚି ଆର୍ନ୍ତଜାତିକ କୁଟନୀତିକ ଦୃଷ୍ଟିରୁ ଅପରାଧି ପ୍ରତ୍ୟାର୍ପଣ ଆଇନ୍ର ଗଳାବାଟରେ ଖସିଯିବାର ବହୁତ ସମ୍ଭାବନା ରହିଛି ।
ଗୋଟିଏ ପକ୍ଷରେ ଅନ୍ୟ ଦେଶର ଚୋରା ଉକ୍ରଟ ମାଦକ ଦ୍ରବ୍ୟ ଆମ ଦେଶରେ ପହଞ୍ଚିଯାଉଛି ଏବଂ ଅନ୍ୟପକ୍ଷରେ ଏପରି ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ କିଛି ଦିନ ଜେଲ୍ରେ ରହି ଆର୍ନ୍ତଜାତିକ ଅପରାଧୀ ପ୍ରତ୍ୟାର୍ପଣ ଆଇନ୍ ଅନୁଯାୟୀ ଏଠାରୁ ମୁକ୍ତି ପାଇ ନିଜ ଦେଶକୁ ଚାଲି ଯାଇପାରିବେ । ଏ ପ୍ରକାରର ଏକ ଆଇନ୍ର ଜାଲରେ ଘଳିଆ ଥିବାରୁ ବିଭିନ୍ନ ବିମାନ ବନ୍ଦର ଦେଇ ବିଦେଶରୁ ଆସୁଥିବା ଚୋରା ମାଦକ ଦ୍ରବ୍ୟ କେବେ, କେମିତି ଧରା ପଡ଼ିଯାଉଛି ଏବଂ କେତେଯେ ଧରାପଡୁନଥିବ ସେକଥା କହିହେବ ନାହିଁ । ଏବେ ଏବେ ଯେଉଁ ୩୦ କୋଟିର ମାଦକ ଦ୍ରବ୍ୟ ଜବତ୍ ହୋଇଛି ତାହା ଦେଶର ସାଧାରଣ ନିଶାଡ଼ିମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଉଚ୍ଚ ଆୟ ବର୍ଗର ଏବଂ ସମ୍ଭ୍ରାନ୍ତ ଘରର ନିଶାଡ଼ିମାନଙ୍କ ପାଇଁ ଏସବୁ ଉଦ୍ଦିଷ୍ଟ । କିଛିମାସ ତଳେ ଦେଶର ଉଚ୍ଚ ବର୍ଗ ଏବଂ ଅତି ଧନୀ ପରିବାରର ସମ୍ଭ୍ରାନ୍ତ ବର୍ଗର ଲୋକମାନେ ଏ ପ୍ରକାରର ନିଶାଦ୍ରବ୍ୟ ରଖି କିମ୍ବା ଖାଇ ଧରା ପଡ଼ିଥିବା ଖବର ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏବେ ୩୦ କୋଟିର ଅତି ଉଚ୍ଚମାନର ଗଞ୍ଜେଇ ବୋଲି କୁହାଯାଉଥିବା ମାଦକ ଦ୍ରବ୍ୟ ଜବତ୍ ହେବା ପରେ ଗୋଟିଏ କଥା ସ୍ପଷ୍ଟ ଯେ ଏ ପ୍ରକାରର ଗଞ୍ଜେଇ ଦ୍ରବ୍ୟର ଗ୍ରାହକ ଦେଶରେ ଅଛନ୍ତି ଏବଂ ସେମାନେ ଏସବୁ ସହିତ ଅଭ୍ୟସ୍ତ ହୋଇ କଳାବଜାର ଭିତରେ ଏକ ଶକ୍ତିଶାଳୀ ଗୋପନୀୟ ବଜାର ସୃଷ୍ଟି କରି ସାରିଛନ୍ତି । ସାଧାରଣତଃ ପ୍ରତି ଶହେଟି ଘଟଣା ଭିତରୁ ଖୁବ୍ ବେଶୀରେ ୨/୪ଟି ଧରାପଚ୍ଛେ । ବର୍ତ୍ତମାନର ଘଟଣାରେ ଅପରାଧୀମାନଙ୍କୁ ନିଜ ଦେଶକୁ ଫେରାଇ ନେବା ପାଇଁ ଅପରାଧୀମାନଙ୍କ ଦେଶ ପକ୍ଷରୁ ପକ୍ଷରୁ ଯୋଗାଯୋଗ ହୋଇ ସାରିବେଣି । ତେଣୁ ଏ ପ୍ରକାରର ଧରପଗଡ଼ର ମୂଲ୍ୟ କିଛି ଥିବା ପରି ଜଣା ପଡ଼େନାହିଁ । ଚାହିଦା ଓ ଯୋଗାଣ ଭିତରେ ଥିବା ସମ୍ପର୍କ ହେଲା-ଯୋଗାଣ ଥିଲେ ଚାହିଦା ବଢ଼େ ନାହିଁ, ଚାହିଦା ଥିଲେ ଯୋଗାଣ ବଢ଼େ । ସେ ଦୃଷ୍ଟିରୁ ଦେଶ ଭିତରେ ଚାହିଦାର ନେଟ୍ୱାର୍କ୍କୁ ପ୍ରଥମେ ଧ୍ୱଂସ କରିବା ଉଚିତ୍ ।
ବର୍ତ୍ତମାନ ଭୁବନେଶ୍ୱରର ଛୋଟ ମୋଟ କେବିନ୍ ଭଳି ଆଖିକୁ ଛୋଟ ଦେଖା ଯାଉଥିବା ବ୍ୟବସାୟୀମାନଙ୍କ ନିକଟରେ ହେରୋଇନ୍, ଚରସ୍, ଗଞ୍ଜେଇ ପୁଡ଼ିଆ, ଗଞ୍ଜେଇ ଭର୍ତ୍ତି ସିଗାରେଟ୍, ଭାଙ୍ଗ ଇତ୍ୟାଦି ମିଳୁଛି । ଏସବୁର ବଜାରକୁ ଧ୍ୱଂସ କରାଯାଇପାରିଲେ ଆର୍ନ୍ତଜାତିକ ନିଶା କାରବାରର ଆମଦାନୀ ଆପେ ବନ୍ଦ ହୋଇଯିବ ।