ଜନଗଣନା ପାଇଁ ୧୧,୭୧୮କୋଟି ଟଙ୍କା ମଞ୍ଜୁରୀ
ନୂଆଦିଲ୍ଲୀ : ୨୦୨୭ରେ ହେବାକୁ ଯାଉଛି ଦେଶବ୍ୟାପୀ ଜନଗଣନା । ଏନେଇ ଆଜି କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ୨୦୨୭ ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟକୁ ମଞ୍ଜୁରୀ ଦିଆଯାଇଛି । ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟରେ ଜନଗଣନା ହେବ । ଏଥିପାଇଁ ୩୦ ଲକ୍ଷ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ୨୦୨୭ରୁ ସାରା ଦେଶରେ ଜନଗଣନା ହେବ । ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ହାଉସ୍ ଲିଷ୍ଟିଂ ଏବଂ ଗୃହ ଜନଗଣନା ହେବ, ଯାହା ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ; ଯେବେକି ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ, ଯାହା ଫେବୃଆରୀ ୨୦୨୭ରୁ ଆରମ୍ଭ ହେବ। ତଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନଗଣନାର ଡିଜିଟାଲ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ।
ସେ ଆହୁରୀ ମଧ୍ୟ କହିଛନ୍ତି, ଭାରତ କୋଇଲା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଦିଗରେ ଆଗକୁ ବଢୁଛି । ୨୦୨୪-୨୦୨୫ରେ ଭାରତ ଐତିହାସିକ ଭାବେ ୧୦୦ କୋଟି ଟନରୁ ଅଧିକ କୋଇଲା ଉତ୍ପାଦନ କରିଛି । ପୂର୍ବରୁ କୋଇଲା ଆମଦାନୀ ଉପରେ ଆମର ଯେଉଁ ନିର୍ଭରଶୀଳତା ଥିଲା, ତାହା ବର୍ତ୍ତମାନ ବହୁତ କମିଯାଇଛି । କୋଇଲା ଆମଦାନୀ ଉପରେ ନିର୍ଭରଶୀଳତା କମିବା ଯୋଗୁଁ ଆମେ ୬୦ ହଜାର କୋଟି ଟଙ୍କା ସଞ୍ଚୟ କରିଛୁ ।