ଆଉ ୨୯୦ ଭାରତୀୟ ଉଦ୍ଧାର: ଏଯାବତ ଆସିଲେଣି ୨ହଜାର
ନୂଆଦିଲ୍ଲୀ: ଇରାନ୍-ଇସ୍ରାଏଲ୍ ଯୁଦ୍ଧ ଘନଘଟା ମଧ୍ୟରେ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଆଣୁଛି ଭାରତ । ଅପରେସନ୍ ସିନ୍ଧୁ ଜରିଆରେ ଭାରତୀୟ ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୁଣି ୨୯୦ ନାଗରିକଙ୍କୁ ଧରି ଦିଲ୍ଲୀ ଅବତରଣ କରିଛି ଏକ ବେସାମରିକ ବିମାନ । ଏମାନଙ୍କ ମଧ୍ୟରେ ଜଣେ ଶ୍ରୀଲଙ୍କା ନାଗରିକ ଥିବା ଜଣାପଡ଼ିଛି । ତେବେ ଏହି ୨୯୦ ନାଗରିକଙ୍କୁ ମିଶାଇ ଏଯାବତ ଭାରତ ପାଖାପାଖି ୨୦୦୦ ନାଗରିକଙ୍କୁ ଇରାନ୍ରୁ ମୁକୁଳାଇ ଥିବା ଜଣାପଡ଼ିଛି । କେନ୍ଦ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟା ଏହି ଅପରେସନ୍କୁ ନେଇ ଖୁସିବ୍ୟକ୍ତ କରିବା ସହ ଇରାନ ଫେରନ୍ତା ଭାରତୀୟଙ୍କୁ ସ୍ୱାଗତ କରିଛନ୍ତି । ସେପଟେ ଭାରତ ସହାୟତାରେ ଦିଲ୍ଲୀ ଫେରିଥିବା ଜଣେ ମାତ୍ର ଶ୍ରୀଲଙ୍କା ନାଗରିକ ଫାତିମା ଇମାନ୍ ଅପରେସନ୍ ସିନ୍ଧୁ ପାଇଁ ଭାରତର ଏତାଦୃଶକୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଇଣ୍ଡିଆନ୍ ଆମ୍ବାସୀକୁ କୃତଜ୍ଞତା ଜଣାଇଛନ୍ତି । ତେବେ ଏହି ୨୯୦ ବ୍ୟାଚ୍ରେ ଆସିଥିବା ନାଗରିକମାନେ ବିହାର, ଜମ୍ମୁ, ଦିଲ୍ଲୀ, ୟୁପି, ରାଜସ୍ଥାନ ଏବଂ ଗୁଜରାଟ ଆଦି ରାଜ୍ୟର ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏ ସମ୍ପର୍କରେ ମନ୍ତ୍ରାଳୟ ପକ୍ଷରୁ ଏକ୍ସରେ ମଧ୍ୟ ସବିଶେଷ ସୂଚନା ଦିଆଯାଇଛି ।