ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବାରିପଦା : ପ୍ରୟାଗରାଜ କର:- ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା ସୁଚନା ଆସିବା ପରେ ମୟୂରଭଞ୍ଜ ଜିଲ୍ଲା ରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଆଗାମୀ ୨୩ ତାରିଖରେ ନୁଆଦିଲ୍ଲୀରୁ ସ୍ବତନ୍ତ୍ର ବାୟୁସେନାର ବିମାନରେ ବାହାରି ପଶ୍ଚିମବଙ୍ଗର କଲେଇକୁଣ୍ଡା ଏୟାରଫୋର୍ସ ବେସରେ ଓହ୍ଲାଇବା ପରେ ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ଆସି ବାଙ୍ଗରିପୋଷୀ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଙ୍ଗରିପୋଷୀ ଠାରେ ୧)ବାଙ୍ଗରିପୋଷୀ -ଗୋରୁମହିଷାଣୀ, ୨)ବୁଢାମରା-ଚାକୁଳିଆ ଓ ୩)ବାଦାମପାହାଡ-କେନ୍ଦୁଝର ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତ ରଖିବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ । ଏହାସହ ସେଠାରେ ଭର୍ଚ୍ଚୁଆଲ ମୋଡରେ,ବ)- ରାଇରଙ୍ଗପୁର ଠାରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର , ଭ)-ରାଇରଙ୍ଗପୁର ଦାଣ୍ଡବୋଷ ଠାରେ ବିମାନବନ୍ଦର ଓ ମ)-ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଏକ ନୂତନକୋଠା ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତ ରଖିବେ ଶ୍ରୀମତୀ ମୁର୍ମୁ । ବାଙ୍ଗରିପୋଷୀ କାର୍ୟ୍ୟକ୍ରମ ପରେ ନିଜ ଜନ୍ମଗାଁ ଉପରବେଡା କୁ ଯାଇ ସେଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଙ୍କ ସହ ଆଲୋଚନା କରିବା ସହ ନିଜ ଜନ୍ମିତ ପୈତୃକଗୃହରେ ରହି ଗ୍ରାମବାସୀ ଙ୍କ ଭାବବିନିମୟ କରିବେ ରାଷ୍ଟ୍ରପତି । ଏଠାରୁ ସଡକ ପଥରେ ରାଇରଙ୍ଗପୁର ଯାଇ ମଧ୍ୟାହ୍ନ ଭୋଜନ କରିବା ପରେ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ପହଞ୍ଚି ଏସ୍.ଏଲ୍.ଏସ୍.ଟ୍ରଷ୍ଟ ବୋର୍ଡ ପକ୍ଷରୁ ଡାକ୍ତରଖାନାକୁ ଦାନଦିଆଯାଉଥିବା ଏକ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ଶ୍ରୀମତୀ ମୁର୍ମୁ । ଏହାପରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ କୁ ଯାଇ ବିଦ୍ୟାର୍ଥୀ ଓ ଶିକ୍ଷକ ଙ୍କ ସହ ଆଲୋଚନା କରିବା ପରେ ବାବା ପୁଣ୍ୟେଶ୍ବର ଶିବ ମନ୍ଦିର ରେ ନୂତନ ଭାବେ ପ୍ରତିଷ୍ଠିତ ଗଣେଶ ମୁର୍ତ୍ତି କୁ ଉନ୍ମୋଚନ କରିବା ସହ ସେଠାରେ ଆଳତୀ କରିବେ ରାଷ୍ଟ୍ରପତି । ଏହାପରେ ଅପରାହ୍ନ ୩ଟା ୪୦ମିନିଟ ରେ ରାଇରଙ୍ଗପୁର ଦାଣ୍ଡବୋଷ ରୁ ବାୟୁସେନାର ହେଲିକ୍ୟାପ୍ଟର ରେ ବାହାରି କଲେଇକୁଣ୍ଡା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ମହାମହିମ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଙ୍କ ଆଗମନ ପାଇଁ ସମସ୍ତ ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇଉଠିଛି । ସମୟ ପୂର୍ବରୁ ସମସ୍ତ ବ୍ୟବସ୍ଥା ସାରିବା ପାଇଁ ସମସ୍ତ ବିଭାଗ ଯୋରଦାର ଲାଗିପଡିଛନ୍ତି ।