ଜଳସେଚନ ପାଇଁ ୨୩୩୯୬ କୋଟି

ଜଳସେଚନ ପାଇଁ ୨୩୩୯୬ କୋଟି
  • ଆନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ୧୯୯୪୧ କୋଟି
  • ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପାଇଁ ୧୭୯୦ କୋଟି
  • ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ପାଇଁ ୧୪୩୭ କୋଟି
  • ସମ୍ବଲପୁର ପାଇଁ ୨୨୮ କୋଟିର ଟେଣ୍ଡରକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟ ସରକାର ଜଳସେଚନ ପାଇଁ ବିଭିନ୍ନ ଯୋଜନାରେ ୨୩୩୯୬ କୋଟି ଟଙ୍କା ଖର୍ଚ୍ଚ କରିବେ  । ରାଜ୍ୟ କ୍ୟାବିନେଟରେ ଏସଂକ୍ରାନ୍ତୀୟ ୪ ପ୍ରସ୍ତାବ ଉପରେ ମୋହର ଲାଗିଛି । ନଦୀ ବନ୍ଧ ଭିତରେ ବୃହତ ଜଳାଶୟ ସୃଷ୍ଟି ପାଇଁ ସରକାର ୧୧ ହଜାର ୭ ଶହ କୋଟିର ବ୍ୟୟବରାଦରେ ଆନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ଯୋଜନା ଆରମ୍ଭ କରିଥିଲେ । ରାଜ୍ୟ କ୍ୟାବିନେଟରେ ଆଜି ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ ନିର୍ମାଣ ପାଇଁ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୧୯୯୪୧ କୋଟି ଟଙ୍କାର ଆନୁମାନିକ ମୂଲ୍ୟରେ ବୃଦ୍ଧି ନିମନ୍ତେ ଅନୁମୋଦନ କରିଛନ୍ତି  । ସେହିପରି ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ନାମକ ନୂତନ ଯୋଜନା ସରକାର ଆରମ୍ଭ କରିବେ । ଏଥିପାଇଁ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ୧୭୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । କାଟ୍ରା ସଂଯୋଗୀକରଣ ପ୍ରକଳ୍ପ, ବାହୁଡ଼ା ଋଷିକୂଲ୍ୟା ଅବବାହିକା ସଂଯୋଗୀକରଣ ପ୍ରକଳ୍ପ, ହିରାଧରବାଟି ବନ୍ୟା ପ୍ରବାହ ଚ୍ୟାନେଲ ପ୍ରକଳ୍ପ, ବାହୁଡ଼ା ତାମ୍ପରା ସଂଯୋଗୀକରଣ ପ୍ରକଳ୍ପ, ଅଙ୍ଗ ସୁକତେଲ ଗାର୍ଲାଣ୍ଡ କେନାଲ ପ୍ରକଳ୍ପ ଓ ତେଲଙ୍ଗିରି ଅପର କୋଲାବ ସଂଯୋଗୀକରଣ ପ୍ରକଳ୍ପ କରାଯିବ ।   

ଅପରପକ୍ଷରେ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାକୁ ଆଉ ୫ ବର୍ଷ ସମ୍ପ୍ରସାରିତ କରାଯିବ । ଏଥିପାଇଁ ସରକାର ୧୪୩୭ କୋଟିର ବ୍ୟୟ ଅଟକଳ କରିଛନ୍ତି । ଯାହାଦ୍ୱାରା ୧ ଲକ୍ଷ ୨୩ ହଜାର ୪୪୮ ହେକ୍ଟର ସେଚାଞ୍ଚଳର ପୁନରୁଦ୍ଧାର ତଥା ୪୮୬୨ ହେକ୍ଟର ଅତିରିକ୍ତ ସେଚାଞ୍ଚଳ ସୃଷ୍ଟି କରାଯାଇପାରିବ ।  

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାରେ ୧୦୭୫୯ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନଦୀ, ଜଳଭଣ୍ଡାର, କେନାଲରୁ ଜଳ ଉତ୍ତୋଳନ କରାଯାଇ ୨ ଲକ୍ଷ ୬୩ ହଜାର ୮୦୧ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ । ହୀରାକୁଦ ଜଳଭଣ୍ଡାର ଓ ଭେଡେ଼ନ ନଦୀରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥାରେ ସମ୍ବଲପୁର ଜିଲ୍ଲାର ୬୫ ଗ୍ରାମର ୮୫୦୭ ହେକ୍ଟର ଜମିକୁ ଜଳ ଯୋଗାଣ କରାଯିବ । ଏହି ପ୍ରକଳ୍ପ ପାଇଁ ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣର ବ୍ୟବସ୍ଥା ରହିଛି । ପ୍ରକଳ୍ପ ନିର୍ମାଣ ନିମନ୍ତେ ୨୧୧ କୋଟି ୮୭ ଲକ୍ଷ ଟଙ୍କା ଓ ୧୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୧୬ କୋଟି ୯୫ ଲକ୍ଷ ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ୩୬ ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବ ।