ଜାତିଗତ ଜନଗଣନାକୁ କ୍ୟାବିନେଟ ସ୍ୱୀକୃତି : ‘ସାମାଜିକ ନ୍ୟାୟର ନୂଆ ଯୁଗ ଆରମ୍ଭ’

 ନୂଆଦିଲ୍ଲୀ: ସମତା, ସମରସତା, ସୁଶାସନ ଏବଂ  ସାମାଜିକ ନ୍ୟାୟର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ବଞ୍ଚôତ, ପଛୁଆ ଲୋକଙ୍କୁ ନୀତି-ନିର୍ମାଣରେ କେନ୍ଦ୍ରରେ ରଖିବା, ସମାଜର ସମସ୍ତ ବର୍ଗଙ୍କୁ ଯୋଡିବା, ସାମାଜିକ, ଶୈକ୍ଷିକ ଏବଂ ଆର୍ଥିକ ଅସମାନତାକୁ ପାରଦର୍ଶୀ ଏବଂ ପ୍ରମାଣିକ ଶୈଳୀରେ ଦୂର କରିବା ତଥା ସବୁ ବର୍ଗଙ୍କ ପାଇଁ ଉଚିତ୍ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏହା ଏକ ସକରାତ୍ମକ ପଦକ୍ଷେପ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ଜାତିଗତ ଜନଗଣନାକୁ ମଞ୍ଜୁରୀ ମିଳିଥିବା ଯୋଗୁ ଏହାକୁ ସ୍ୱାଗତ କରି ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ସମ୍ପର୍କରେ ଧର୍ମେନ୍ଦ୍ର ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
 ସେହିପରି କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସବୁବେଳେ ଜାତି ଗଣନା ବିଷୟରେ ଛଳନା କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ଐତିହାସିକ ଭୁଲକୁ ସୁଧାରୁଥିବା ଏହି ସମ୍ବେଦନଶୀଳ ନିର୍ଣ୍ଣୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି କାରଣରୁ ସମ୍ଭବ ହୋଇଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।