ସିଆର୍ଏଫ୍ଏମ୍ ମୂଲ୍ୟାୟନ ସମ୍ବନ୍ଧୀୟ ଆଲୋଚନା
ଭୁବନେଶ୍ୱର : କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଭାଗର ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା (ସିଆର୍ଏଫ୍) କାର୍ଯ୍ୟକ୍ରମର ଏକ ମୂଲ୍ୟାୟନ ବିବରଣୀ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କରିଛନ୍ତି । ଏହାସହ କହିଛନ୍ତି ‘ଓଡ଼ିଶା ବିଜ୍ଞାନଭିତ୍ତିକ କୃଷି ପରିବର୍ତ୍ତନ ଦିଗରେ ଆଗଭର ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ମୂଲ୍ୟାୟନ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ରାଜ୍ୟର ଚାଷୀଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ନିଷ୍ପତ୍ତି ନେବାରେ ସହାୟକ ହେବ ।’ ଏହି ଅଧ୍ୟୟନ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (ଆଇଏଫ୍ପିଆରଆଇ) ଆନୁକୂଲ୍ୟରେ ହୋଇଥିବା ବେଳେ ରାଜ୍ୟବ୍ୟାପୀ ସିଆର୍ଏଫ୍ଏମ୍ ଜରିଆରେ ଧାନ ପରବର୍ତ୍ତୀ ପଡ଼ିଆ ଜମିରେ ଡାଲି ଏବଂ ତୈଳବୀଜ ଚାଷ କରାଯିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି ।
ଏହି ମୂଲ୍ୟାୟନ, ସାଟେଲାଇଟ୍ ରିମୋଟ୍ ସେନ୍ସିଂ ତଥ୍ୟ, ବିଭାଗୀୟ ତଥ୍ୟ ଏବଂ ବିଭିନ୍ନ ମୂଲ୍ୟାୟନ ପଦ୍ଧତିର ମିଶ୍ରଣ ଉପରେ ଆଧାରିତ ବୋଲି ମତପ୍ରକାଶ ପାଇଥିଲା । କୃଷି ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ କହିଛନ୍ତି ଯେ "ଏହି ଅଧ୍ୟୟନ ପ୍ରମାଣ ଆଧାରିତ ସୂଚନାକୁ ଆଧାର କରି ନୂତନ ନୀତି ପ୍ରଣୟନ କରିବାରେ ସହାୟକ ହେବ । ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (ଆଇଏଫ୍ପିଆରଆଇ) ଭଳି ଆନ୍ତର୍ଜାତିକ ଗବେଷଣା ପ୍ରତିଷ୍ଠାନ ସହିତ ସହଯୋଗ ବିଭାଗୀୟ କାର୍ଯ୍ୟକୁ ପୁନଃସମୀକ୍ଷା କରିବାରେ ସହାୟକ ହେବ ।’ ମୂଲ୍ୟାୟନ କରାଯାଇଥିବା ଜିଲ୍ଲାଗୁଡିକରେ ହରଡ, ସୋରିଷ ଏବଂ ମସୁର ପରି ଫସଲରେ ଅମଳ ବୃଦ୍ଧି ହୋଇଥିବା ଜଣାପଡ଼ିଛି ।