ଜାତିସଂଘ ରିପୋର୍ଟ : ପ୍ରତି ୧୦ ମିନିଟ୍ରେ ଜଣେ ମହିଳାଙ୍କୁ ହତ୍ୟା
ନ୍ୟୁୟର୍କ : ପ୍ରତି ୧୦ ମିନିଟରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ, ପ୍ରେମିକ କିମ୍ବା ସମ୍ପର୍କୀୟ ହତ୍ୟା କରୁଛନ୍ତି । ଅତଏବ ନିଜ ଘରେ ବି ମହିଳାଟେ ସୁରକ୍ଷିତ ନୁହେଁ । ଜାତିସଂଘର ଏହି ରିପୋର୍ଟ ଏବେ ବିଶ୍ୱରେ ଆଲୋଡ଼ନ ସୃଷ୍ଟିକରିଛି । ମହିଳା ହତ୍ୟାର ବିପଦ ବଢିବା ସହ ଜଟିଳ ହେବାରେ ଲାଗିଛି । ସେହିପରି ଅନେକ ଦେଶ ତଥ୍ୟ ପ୍ରଦାନ କରିନାହାନ୍ତି । ନଚେତ୍ ଏହି ସଂଖ୍ୟା ଆହୁରି ବି ବଢ଼ିଥା’ନ୍ତା । ୨୦୨୪ରେ, ସାରା ବିଶ୍ୱରେ ପ୍ରାୟ ୫୦ ହଜାର ମହିଳା ଏବଂ ଝିଅଙ୍କୁ ତାଙ୍କର ଘନିଷ୍ଠ ସାଥୀ କିମ୍ବା ପରିବାର ସଦସ୍ୟଙ୍କ ଦ୍ୱାରା ହତ୍ୟା କରାଯାଇଥିଲା । ପ୍ରତିଦିନ ହାରାହାରି ୧୩୭ ଜଣ ମହିଳା କିମ୍ବା ପ୍ରତି ୧୦ ମିନିଟରେ ଗୋଟିଏ ହତ୍ୟା ହେଉଛି । ୬୦% ମହିଳାଙ୍କ ହତ୍ୟାକାରୀ ହେଉଛନ୍ତି ନିଜ ସମ୍ପର୍କୀୟ । ଆଫ୍ରିକା ମହାଦେଶରେ ଏହା ସର୍ବାଧିକ ବୋଲି ଦର୍ଶାଯାଇଛି । ନାରୀ ହତ୍ୟା ଏକ ବିଶ୍ୱବ୍ୟାପୀ ମହାମାରୀ ପାଲଟିଥିବାବେଳେ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।