ଜାମ୍ମୁ-କାଶ୍ମୀର ବିଧାନସଭାରେ ପହେଲଗାମ ଶୋକପ୍ରସ୍ତାବ: କ୍ଷମା ମାଗିବାକୁ ମୋ’ ପାଖେ ଶବ୍ଦ ନାହିଁ: ଓମାର

 ଶ୍ରୀନଗର  : ପହେଲଗାମ ଆକ୍ରମଣକୁ ନେଇ ଏବେ ସାରାଦେଶବାସୀ ଦୁଃଖିତ ଥିବା ବେଳେ ଆଜି ଜାମ୍ମୁ-କାଶ୍ମୀର ବିଧାନସଭାରେ ମଧ୍ୟ ଶୋକପ୍ରସ୍ତାବ ଆଗତ ହୋଇଛି । ଆଜି ବିଧାନସଭା ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିଜ ଟିପ୍ପଣୀରେ ପହେଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣକୁ ନେଇ ରାଜନୀତି ନ କରିବା ପାଇଁ କହିଛନ୍ତି । ବିଧାନସଭାରେ ଭାଷଣ ଦେବା ଅବସରରେ ୨୬ ପର୍ଯ୍ୟଟକଙ୍କ ମୃତୁ୍ୟକୁ ନେଇ ସେ ଅତ୍ୟନ୍ତ ନିରୁତ୍ସାହିତ ମନରେ ନିଜକୁ ଦୋଷ ଦେବା ସହ ପ୍ରଥମ ସୁରକ୍ଷା ଦାୟିତ୍ୱ ଆମର ଥିଲା ବୋଲି କହିଥିଲେ ଏବଂ ଏଥିରେ ମୁଁ ଅତ୍ୟନ୍ତ ମର୍ମାହତ ବୋଲି କହିଥିଲେ । ଏହାସହ ସେ କହିଛନ୍ତି ଯେ ଆମେ ଅନେକ ଆକ୍ରମଣ ଦେଖିଛୁ କିନ୍ତୁ ବୈସାରନ ଘାଟିରେ ହୋଇଥିବା ଏହି ଆକ୍ରମଣ ୨୧ ବର୍ଷ ମଧ୍ୟରେ ସାଧାରଣ ନାଗରିକଙ୍କ ଉପରେ ସବୁଠାରୁ ବଡ଼ ଆକ୍ରମଣ । ସମସ୍ତଙ୍କୁ ସୁରକ୍ଷିତ ଭାବରେ ଫେରାଇବା ମୋର ଦାୟିତ୍ୱ ଥିଲା । କିନ୍ତୁ ମୁଁ ତାହା କରିପାରିଲି ନାହିଁ । କ୍ଷମା ମାଗିବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ଏହି ଆକ୍ରମଣ ଆମକୁ ଆଜି ଲଜ୍ଜାଶୀଳ କରିଦେଇଛି । 
ସେହିପରି ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ପରିବର୍ତ୍ତେ ରାଜ୍ୟର ମାନ୍ୟତା ପାଇଁ ଆଜି ଦାବି ଉଠାଯିବାକୁ ଥିବା ବେଳେ ଏହାକୁ ମଧ୍ୟ ନ୍ୟାସନାଲ୍ କନ୍ଫରେନ୍ସ ଦଳ ବିଧାୟକଙ୍କ ପକ୍ଷରୁ ସ୍ଥଗିତ ରଖାଯାଇଥିବା କହିଛନ୍ତି । ସେ କହିଛନ୍ତି "ଆତଙ୍କବାଦ କେବଳ ସେତେବେଳେ ଶେଷ ହେବ ଯେତେବେଳେ ଲୋକମାନେ ଆମ ସହିତ ରହିବେ ।’ ପହେଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ପାଇଁ ଗୃହରେ ପ୍ରସ୍ତାବ ଉପରେ ଆଲୋଚନା ଶେଷ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆତଙ୍କବାଦ ବିରୋଧରେ ଲୋକଙ୍କ କ୍ରୋଧକୁ ଦେଖି, ଯଦି ଆମେ ଉପଯୁକ୍ତ ପଦକ୍ଷେପ ନେବା, ତେବେ ଏହା ଆତଙ୍କର ଅନ୍ତର ଆରମ୍ଭ । କିନ୍ତୁ ଆମେ ଏପରି କୌଣସି ପଦକ୍ଷେପ ନେବା ଉଚିତ୍ ନୁହେଁ ଯାହା ଲୋକଙ୍କୁ ଅଲଗା କରିବ । ଆମେ ବନ୍ଧୁକ ସାହାଯ୍ୟରେ ଆତଙ୍କବାଦକୁ ନିୟନ୍ତ୍ରଣ କରିପାରିବୁ ନାହିଁ କିନ୍ତୁ ଯଦି ଲୋକମାନେ ଆମ ସହିତ ଅଛନ୍ତି, ତେବେ ଆମେ ଆତଙ୍କବାଦକୁ ସମାପ୍ତ କରିପାରିବୁ ବୋଲି କହିଥିଲେ ।