"ବୁଢ଼ୀ ମା'ର କାହାଣୀ  ପେଡ଼ି’ ଓ "ପରିଚୟ’ ମଞ୍ଚସ୍ଥ 

 ଭୁବନେଶ୍ୱର  : ବାଲେଶ୍ୱର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ଆରମ୍ଭ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଆୟୋଜିତ ଏହି ନାଟକ ମହୋତ୍ସବ ଆସନ୍ତା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ଆଜି ନାଟକ ମହୋତ୍ସବର ପ୍ରଥମ ଦିନରେ ନାଟ୍ୟକାର ଜନ୍ମେଜୟ ମହାନ୍ତିଙ୍କ ନିଦେ୍ର୍ଦଶନାରେ ନାଟକ "ବୁଢ଼ି ମା'ର କାହାଣୀ ପେଡ଼ି’ ଏବଂ ମନୋଜ ଦଳବେହେରାଙ୍କ ନିଦେ୍ର୍ଦଶନାରେ ନାଟକ "ପରିଚୟ’ ମଞ୍ଚସ୍ଥ ହୋଇଥିଲା । ଆଜିର ସମୟରେ ଟିଭି, ଭିଡିଓ ଗେମ୍ ଏବଂ କାର୍ଟୁନ ଆଦି ମନୋରଞ୍ଜନର ସାଧନ ସାଜିଥିବାବେଳେ ସେତେବେଳେ ବୁଢ଼ୀ ମା'ର ଗପପେଡ଼ି ଓଡ଼ିଆ ସଂସ୍କୃତିକୁ କିପରି ଚିହ୍ନଟ କରିଥାଏ ତାହାକୁ ନେଇ ଉପସ୍ଥାପିତ ହୋଇଥିଲା "ବୁଢ଼ି ମା'ର କାହାଣୀ ପେଡ଼ି’ । ସେହିପରି ସମାଜରେ ବାସ କରୁଥିବା ଅନାଥ ଶିଶୁମାନଙ୍କର ସଂଘର୍ଷକୁ ପ୍ରତିପାଦିତ କରିଛି ନାଟକ ‘ପରିଚୟ ।’ ନାଟ୍ୟକାର ଡକ୍ଟର ପ୍ରଦୀପ ଭୌମିକ, ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଦସ୍ୟ ଭୁବନ ମୋହନ ପ୍ରଧାନ, ଏକାଡେମୀର ସଦସ୍ୟ ଭବାନୀ ଚରଣ ପଣ୍ଡା, ଇଂ ଶ୍ରୀତମ ସିଂହଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।