ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ବନ୍ଦ ଥିବା ସୂତାକଳ : ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ

ଭୁବନେଶ୍ବର: ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ରାଜ୍ୟରେ ବନ୍ଦ ଥିବା ସୂତାକଳଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବିଧାନସଭାରେ ଏକ ପ୍ରଶ୍ନ ନେଇ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି।
ବଡ଼ଚଣା ବିଧାୟକ ଅମର କୁମାର ନାୟକ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାରେ ଏବେ ୧,୨୬,୮୭୩ ଜଣ ବୁଣାକାର ଅଛନ୍ତି। କିନ୍ତୁ ବୁଣାକାରମାନେ ନୀର୍ଭରଶୀଳ ଥିବା ସମବାୟ ବିଭାଗ ଅଧିନର ସମସ୍ତ ୭ଟି ସୂତାକଳ ଯଥା- କଳାହାଣ୍ଡି,ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ବାଲେଶ୍ୱରରେ ଥିବା ସୂତାକଳ ଗୁଡ଼ିକ ବନ୍ଦ ପଡ଼ିଛି। ଫଳରେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି ବୁଣାକାରମାନେ। ଏହାଦ୍ୱାରା ଓଡ଼ିଶାର ବୟନ ସାମଗ୍ରୀର ଉତ୍ପାଦନ ହ୍ରାସ ହେଉନାହିଁ କି? ବୁଣାକାରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦାଦନର ଲୋପ ପାଇଁ ବନ୍ଦ ପଡ଼ିଥିବା ସୂତାକଳ ଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରିବେ କି ?
ଏହାର ଉତ୍ତରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ କହିଥିଲେ ଯେ, ସୂତାକଳ ଗୁଡିକ ବନ୍ଦ ପଡ଼ିଥିଲେ ମଧ୍ୟ ରାଜ୍ୟରେ ସୂତାର ଅଭାବ ମେଣ୍ଟାଇବା ପାଇଁ ତଥା ବୁଣାକାରମାନଙ୍କୁ ଉଚିତ୍ ମୂଲ୍ୟରେ କଞ୍ଚାମାଲ ଯୋଗାଇ ଦେବା ପାଇଁ ରାଜ୍ୟର ବିଭିନ୍ନ ହସ୍ତତନ୍ତ ପୁଞ୍ଜ ଓ ହସ୍ତତନ୍ତ ବହୁଳ ଅଞ୍ଚଳଗୁଡ଼ିକରେ ୬୫ଟି କଞ୍ଚାମାଲ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ଏହି ବ୍ୟାଙ୍କଗୁଡ଼ିକ କଞ୍ଚାମାଲ ଜାତୀୟ ହସ୍ତତନ୍ତ ଉନ୍ନୟନ ନିଗମ ସୂତା ବିକ୍ରୟ ପାଇଁ ଯୋଗାଇ ଦେଉଛି। ସୂତା ୧୫% ରିହାତି ଦରରେ ତନ୍ତୁବାୟ ସହଯୋଗ ସମିତି ଜରିଆରେ ବୁଣାକାରମାନଙ୍କୁ ଯୋଗାଇ ଦିଆଯାଉଛି। କପା ଦର ବୃଦ୍ଧି, ବିଦ୍ୟୁତ ଦର ବୃଦ୍ଧି, ପୁରୁଣା ଓ ଅପ୍ରଚଳିତ ଯନ୍ତ୍ରପାତି ବ୍ୟବହାର ତଥା ବିଭିନ୍ନ ନ୍ୟାୟାଳୟଗୁଡିକରେ ଅନେକ ମାମଲା ବିଚାରାଧୀନ ଥିବାରୁ ବନ୍ଦ ପଡ଼ିଥିବା ସୂତାକଳଗୁଡ଼ିକୁ ପୁନଃକାର୍ଯ୍ୟକ୍ଷମ କରିବା ସମ୍ଭବପର ହୋଇପାରୁ ନାହିଁ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ବୁଣାକାରମାନେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁ ନାହାନ୍ତି। ୨୦୨୧-୨୨ ବର୍ଷରେ ୧୧୫.୯୬ ଲକ୍ଷ ବର୍ଗ ମିଟର ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହୋଇଥିବାବେଳେ ଏହାର ମୋଟ ମୂଲ୍ୟ ୧୯୬.୦୪ କୋଟି ଟଙ୍କା ରହିଥିଲା। ୨୦୨୨-୨୩ ୧୯୭.୧୬ ଲକ୍ଷ ବର୍ଗମିଟର ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହୋଇଥିବାବେଳେ ଏହାର ମୋଟ ମୂଲ୍ୟ ୪୧୦.୩୮ କୋଟି ଥିଲା । ଏତଦ୍ ବ୍ୟତିତ ରାଜ୍ୟରେ ବୟନ ସାମଗ୍ରୀର ଉତ୍ପାଦନ ହ୍ରାସ ହେଉନାହିଁ ବରଂ ବୃଦ୍ଧି ପାଉଛି । ସେହିପରି ୨୦୨୩-୨୪ ବର୍ଷରେ ୧୯୮.୪୬ ଲକ୍ଷ ବର୍ଗମିଟର ବୟନ ସାମଗ୍ରୀ ଉତ୍ପାଦିତ ହୋଇଥିବାବେଳେ ଏହାର ମୋଟ ମୂଲ୍ୟ ୪୯୦.୩୧ କୋଟି ଟଙ୍କା ଥିଲା ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।