ଜିଆରପି ଜାଲରେ ୨ ଲୁଟେରା ; ୨୫ ମୋବାଇଲ ଓ ୯ ଲାପଟପ୍ ଜବତ

ଜିଆରପି ଜାଲରେ ୨ ଲୁଟେରା ; ୨୫ ମୋବାଇଲ ଓ ୯ ଲାପଟପ୍ ଜବତ



ଭୁବନେଶ୍ୱର, ୧୫ା୫ : ଗତ ଦେଢ଼ ବର୍ଷ ହେବ ଜିଆରପି ପୁଲିସକୁ ଚକମା ଦେଇ ଦିନରେ ଭିଆଇପି ସୁଟ୍ବୁଟ୍ରେ ଭୁବନେଶ୍ୱର ରେଲୁୱେ ଷ୍ଟେସନରେ ପଶି ଟ୍ରେନରୁ ଯାତ୍ରୀଙ୍କ ଲାପଟପ୍ ଓ ଦାମି ମୋବାଇଲ ଚୋରି କରି ଅନ୍ୟ ଷ୍ଟେସନରେ ଓହ୍ଲାଇ ବସରେ ଫେରାର ହୋଇ ଖଣ୍ଡଗିରି କୋଳଥିଆ ଛକ ମାଆ ଓମଫେଡ୍ କଡ଼ ସର୍ଭିଂସ ସେଣ୍ଟର ମାଲିକ ଅର୍ଥାତ ରିସିଭର ସହ ମିଶି ରାତିରେ ମଦ ମାସଂର ଆସର ଜମାଇ ଦାମି ହୋଟେଲରେ ରହି ସୁନ୍ଦରୀ ଯୁବତୀଙ୍କ ସହ ମସ୍ତି କରୁଥିବା ୨ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି ଭୁବନେଶ୍ୱର ଜିଆରପି ଥାନା ପୁଲିସ । ସେମାନଙ୍କ ଠାରୁ ୨୫ଟି ଚୋରା ମୋବାଇଲ ଓ ୯ଟି ଲାପଟପ୍ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ଜଗତସିଂହପୁର ଜିଲ୍ଲାର, ସଞ୍ଜୟ ସେଠ୍ ଓ ବିଷ୍ଟୁପଦ ନାୟକ । ଏମାନଙ୍କ ନାମରେ ଜଗତସିଂହପୁର ଜିଲ୍ଲା ବନ୍ଦର ଥାନାରେ ୭ଟି ମାମଲା ରହିଥିବା ବେଳେ ଜିଆରପି ଥାନାରେ ୧୪ଟି ମାମଲା ରହିଥିବା ଜଣାପଡ଼ିଛି ।
 ସୂଚନାଯୋଗ୍ୟଯେ, ଅଭିଯୁକ୍ତ ସଞ୍ଜୟ ସେଠ୍ ଜଗତସିଂହପୁର ଜିଲ୍ଲାରୁ ଆସି ଖଣ୍ଡଗିରି କୋଳଥିଆ ଛକ ମାଆ ଓମଫେଡ୍ ମାଲିକଙ୍କ ଜାଗାରେ ଭଡ଼ାରେ କିଛି ବର୍ଷ ହେବ ଏକ ସର୍ଭିଂସ ସେଣ୍ଟର ଆରମ୍ଭ କରିଥିଲା । ହେଲେ ସେ ଦିନରେ ସର୍ଭିଂସ ସେଣ୍ଟର କରିବା ସହ ତା ଗା୍ରମର ଜଣେ ସାଙ୍ଗ ବିଷ୍ଟୁପଦ ନାୟକ ମିଶି ଗତ ଦେଢ଼ ବର୍ଷ ହେବ ସୁଟବୁଟ୍ ପିନ୍ଧି ଭୁବନେଶ୍ୱର ରେଲୁୱେ ଷ୍ଟେସନ ଭିତରେ ପଶିଥାନ୍ତି । ପରେ ବିଭିନ୍ନ ରାଜ୍ୟରୁ ଆସୁଥିବା ଓ ଲୋକାଲ ଟ୍ରେନରେ ଚଢ଼ି ଯାତ୍ରୀଙ୍କ ଦାମି ଲାପଟପ୍, ମୋବାଇଲ ଚୋରି କରି ଭୁବନେଶ୍ୱରରୁ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଯାଇ ସେଠାରେ ଓହ୍ଲାଇ ପୁଣି ବସରେ ଭୁବନେଶ୍ୱର ଚାଲିଆସି କୋଳଥିଆ ଛକରେ ଥିବା ସର୍ଭିଂସ ସେଷ୍ଟରେ ସେହି ଚୋରା ମୋବାଇଲ ଓ ଲାପଟପକୁ ରଖିଥାନ୍ତି । ପରେ ସଫ୍ଟୱେର ମେକାନିକ୍ ଡାକି ମୋବାଇଲ ଓ ଲାପଟପ ଗୁଡିକୁ  ଫର୍ମାଟିଂ ମାରି ସେଗୁଡ଼ିକୁ କଲେଜ ଛାତ୍ର ଓ ବିଭିନ୍ନ ଲୋକଙ୍କୁ ସସ୍ତାରେ ବିକ୍ରି କରିଦେଇଥାନ୍ତି । ପରେ ୨ ଜଣ ମିଶି ଦାମି ହୋଟେଲରେ ରହିବା ସହ କଲଗାର୍ଲ ଆଣି ମଦ ମାସଂରେ ଆସର ଜମାଇଥାନ୍ତି । ଏଭଳି ଲୁଟ୍ ପରେ ଭୁବନେଶ୍ୱର ଜିଆରପି ଥାନାରେ ଗତ ଦେଢ଼ ବର୍ଷ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇଥିଲା । ହେଲେ ଏହି ଲୁଟେରାଙ୍କ ଟେର ପାଇ ପାରୁନଥିଲା ପୁଲିସ । ଯାହା ଫଳରେ ଏହି କୁଖ୍ୟାତ ଲୁଟେରାଙ୍କୁ ଧରିବାକୁ ଜିଆରପି ଥାନା ଅଧିକାରୀ ଅଶୋକ ଗୋଛାୟତଙ୍କ ନିଦେ୍ର୍ଦଶ କ୍ରମେ ଜିଆରପି ଥାନାର କିଛି ବଛାବଛା ଅଫିସରଙ୍କୁ ନେଇ ଗଠନ ହୋଇଥିଲା ସ୍ପେଶାଲ ଟିମ । ଏହି ଟିମ ଲୁଟେରାଙ୍କୁ ଧରିବାକୁ କିଛି ଦିନ ହେବ ଷ୍ଟେସନରେ ଜାଲ ବାଛାଇ ବିଭିନ୍ନ ଟ୍ରେନ୍ ଓ ଯିବା ଆସିବା ମୁଖ୍ୟ ଫାଟକକୁ ନଜର ରଖିଥିଲେ । ହେଲେ କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ । ସବୁଦିନ ଭଳି ୨ ଜଣ ଲୁଟେରା ଗତ ରବିବାର ଦିନ ସମାନ ଢ଼ଙ୍ଗରେ ସୁଟ୍ବୁଟ୍ ପିନ୍ଧି ଷ୍ଟେସନ ଭିତରେ ପଶିଥିଲେ । ଏହି ସମୟରେ ଜିଆରପି ଥାନା ଟିମ ୨ ଜଣଙ୍କୁ ମାଡି ବସିବା ସହ ସେମାନଙ୍କୁ ଥାନାକୁ ନେଇ ପଚରା ଉଚରା ବେଳେ ଉଭୟେ ପୁଲିସ ସାମ୍ନାରେ ସବୁ ସତ ମାନିବା ସହ ସେମାନଙ୍କ ଠାରୁ ୯ଟି ଲାପଟପ୍ ଓ ୨୫ଟି ଚୋରା ମୋବାଇଲ ଜବତ କରାଯାଇଛି ।