ହତ୍ୟାକାରୀକୁ ଆଜୀବନ ସଜ୍ଜା
ଭୁବନେଶ୍ୱର, ୧୫ା୫ : ଆଜି ଭୁବନେଶ୍ୱର ସ୍ଥିତ ତୃତୀୟ ଅତିରିକ୍ତ ଦୌରା ଜଜ ସସ୍ମିତା ପାଢ଼ୀ, ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଯାଇଥିବା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଡମ୍ଭୁରୁଧର ଦାସକୁ ଦୋଷୀ ସାବ୍ୟସ୍ତ କରି ସଜ୍ଜା ଶୁଣାଇଛନ୍ତି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ସୀତାରାଣୀ ମହାପାତ୍ର ଏହି ଘଟଣାର ୪ ଦିନପୂର୍ବରୁ ତାଙ୍କର ପୁଅ ଦେହ ଖରାପ ହେତୁ ୟୁନିଟ୍-୮ ସ୍ଥିତ ନୀଳମଣି ବସ୍ତିରେ ଥିବା ବାପ ଘରକୁ ଆସିଥିଲେ । ସେଠାରେ ସୀତାରଣୀଙ୍କ ସାନ ଭଉଣୀ ମୃତଫା ସୁବାସିନୀ ନାୟକ ଘର ପାଖକୁ ଲାଗି ଏକ ସରକାରୀ ଜାଗାରେ ଘର କରି ତାଙ୍କର ସ୍ୱାମୀଙ୍କ ସହିତ ରହିଆସୁଥିଲେ । ଗତ ତା ୦୭.୦୬.୨୦୧୭ ରିଖ ଅପରାହ୍ନ ୩ ଟାରେ ସୀତାରାଣୀ ଘର ବାହାରେ ବସିଥିବା ବେଳେ ସୁବାସିନୀ ଗାଧୁଆ ଘରେ ବାସନ ମାଜୁଥିଲେ । ସେହି ସମୟରେ ଅଭିଯୁକ୍ତ ବସ ଡ୍ରାଇଭର ଡମ୍ବୁରୁଧର ଏକ କଳା ଜରିରେ ପେଟ୍ରୋଲ ନେଇ ଆସିଥିଲା ଓ ସୀତାରାଣୀଙ୍କୁ ସୁବାସିନୀ ଘରେ ଥିବା ନେଇ ପଚାରୀ ବୁଝିଥିଲେ । ସୀତାରାଣୀ ଠାରୁ ସୁବାସିନୀ ଘରେ ଥିବା ଜାଣିବା ପରେ ଡ଼ମ୍ବୁରୁଧର ସୁବାସିନୀଙ୍କ ଅଗଣା ନିକଟକୁ ଯାଇଥିଲା ଓ ସେଠାରେ ଗାଧୁଆ ଘରେ ସୁବାସିନୀ ବାସନ ମାଜୁଥିବାର ଦେଖିବା ପରେ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା । ଫଳରେ ସୁବାସିନୀଙ୍କ ଦେହରେ ନିଆଁ ଲାଗି ଯିବାରୁ ସେ ଚିକ୍ରାର କରିଥିଲେ । ସେହି ସମୟରେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚାଲିଯାଇଥିଲା । ଏହା ଦେଖି ସୀତାରାଣୀ କିଛି ପଡୋଶୀଙ୍କ ସହଯୋଗରେ ସୁବାସିନୀଙ୍କ ଦେହରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଓ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ସୁବାସିନୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟବରଣ କରିଥିଲେ । ଏନେଇ ସୀତାରାଣୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ନୟାପଲ୍ଲୀ ଥାନା କେସ ନମ୍ବର-୧୯୯/୨୦୧୭, ଦଫା ୩୦୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ, ଏହାର ତଦନ୍ତ ଭାର ତକ୍ରାଳୀନ ଇନ୍ସପେକ୍ଟର ସୂର୍ଯ୍ୟମଣି ପ୍ରଧାନ ନେଇଥିଲେ । ଶ୍ରୀ ପ୍ରଧାନ ଏହି ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଅଭିଯୁକ୍ତ ଡମ୍ବୁରୁଧର ଦାସକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଏହି ମାମଲାର ବିଚାର କରି ଅଦାଲତ ୧୩ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଡମ୍ବୁରୁଧରକୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜୋରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୧ ବର୍ଷର କାରାଦଣ୍ଡାଦେଶ ପ୍ରକାଶ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପିପି ପ୍ରଦୀପ୍ତ କୁମାର ମିଶ୍ର ପରିଚାଳନା କରୁଥିଲେ ।