ଜିନିଷ କିଣିବା ବାହାନାରେ ଦୋକାନରୁ ବୁଲାଇଲେ କଳାକନା

ଭୁବନେଶ୍ୱର, ୭ା୫ : ରାଜଧାନୀରେ ମାତିଛନ୍ତି ହାଇ ପ୍ରୋଫାଇଲ ଲୁଟେରା । ଦାମୀ କାରରେ ଆସି ଜିନିଷ କିଣିବା ବାହାନାରେ ଦୋକାନରୁ ବୁଲାଇଛନ୍ତି କଳାକନା । ଘଟଣା ଘଟିଛି ରାଜଧାନୀର ବଡ଼ଗଡ଼ ଥାନା ଅଞ୍ଚଳରେ । ଏନେଇ ଦୋକାନୀ ଜଣଙ୍କ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହ ସିସିଟିଭି କ୍ୟାମେରାରୁ ଲୁଟର ଦୃଶ୍ୟ ଦେଖି ଲୁଟେରାଙ୍କୁ ଚିହ୍ନଟ କରିଛି ପୁଲିସ । ହେଲେ ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ ।
ସୂଚନାଯୋଗ୍ୟଯେ, ସୋମବାର ଦିନ ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ ରୋଡ୍ ଠାରେ ଥିବା ରେବା ଗାର୍ମେଣ୍ଟ ଆଗରେ ଏକ ଧଳା ରଙ୍ଗର କାର ରହିଥିଲା । କାରରୁ ପ୍ରଥମେ ଜଣେ ମହିଳା ବାହାରିଥିଲେ । ପରେ ମହିଳା ଜଣଙ୍କ ଦୋକାନ ଭିତରକୁ ପ୍ରବେଶ କରିଥିଲେ । ସେ ଦୋକାନୀଙ୍କୁ ଜିନିଷ ଦେଖିବାକୁ ଗାଡିରେ ଥିବା ପୁରୁଷ ବନ୍ଧୁଙ୍କୁ ଭିତରକୁ ଡାକିଥିଲେ । ଏହି ସମୟରେ ପୁରୁଷ ଜଣକ କାରରୁ ଓହ୍ଲାଇ ଦୋକାନ ଭିତରେ ପଶିଥିଲେ । ପରେ ଦୋକାନର ବିଲ୍ କାଉଣ୍ଟର ଡ୍ର' ଖୋଲା ରହିଥିବା ସେ ଦେଖିଥିଲେ ଓ ମଉକା ଦେଖି ସେଥିରେ ଥିବା ଟଙ୍କା ବିଡ଼ା ନେଇ ଚମ୍ପଟ ମାରିଥିଲେ । କିନ୍ତୁ ଏହି ଲୁଟର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ଏନେଇ ଦୋକାନୀ ଜଣଙ୍କ ବରଗଡ଼ ଥାନରେ ଅଭିଯୋଗ କରିଛନ୍ତି । ସିସିଟିଭିରୁ ବର୍ତ୍ତିବା ପାଇଁ ଲୁଟେରା ଜଣଙ୍କ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି । ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରୁଛି ।