ଜିନେ୍ଦଗି ଫାଉଣ୍ଡେସନ୍ର ୨୦ ଛାତ୍ର ନିଟ୍ ପାଇଁ ଯୋଗ୍ୟ
ଭୁବନେଶ୍ୱର : ଜିନେ୍ଦଗି ଫାଉଣ୍ଡେସନ୍ର ସମସ୍ତ ୨୦ଜଣ ଛାତ୍ର ନିଟ୍ ୨୦୨୫ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଜଣେ ଦିନ ମଜୁରିଆ ଶ୍ରମିକଙ୍କ ପୁଅ ପିଡବ୍ଲୁବିଡି ବର୍ଗରେ ସମଗ୍ର ଦେଶରେ ତୃତୀୟ ସ୍ଥାନ ହାସଲ କରି ଫାଉଣ୍ଡେସନ୍ର ଶୋଭା ବଢ଼ାଇଛନ୍ତି । ଜିନେ୍ଦଗି ଫାଉଣ୍ଡେସନର ସମସ୍ତ ଛାତ୍ରଙ୍କ ପାଇଁ ଭଲ ଶିକ୍ଷା ପାଇବା କେବଳ ଏକ ସ୍ୱପ୍ନ ନୁହେଁ, ସେମାନେ ସମ୍ମୁଖୀନ ହେଉଥିବା ପ୍ରଥମ ଚ୍ୟାଲେଞ୍ଜ ହେଉଛି ଅତ୍ୟନ୍ତ ଦାରିଦ୍ର୍ୟ ଏବଂ ଏହା ସହିତ ଆସୁଥିବା ସମସ୍ତ ସମସ୍ୟା । ଯେତେବେଳେ ଏହି ପରିବାରର ପିଲାମାନେ ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ନିଟ୍ରେ ସଫଳ ହୁଅନ୍ତି, ଏହା ନିଶ୍ଚିତ ଭାବରେ ପରିବାର ପାଇଁ ନୁହେଁ ବରଂ ସମଗ୍ର ସମାଜ ପାଇଁ ପ୍ରେରଣାର ଉତ୍ସ ହୋଇଥାଏ । ଏପରି ଏକ ପ୍ରେରଣାଦାୟକ କାହାଣୀ ହେଉଛି ପୁରୀ କାକଟପୁର ବାଜପୁରର ଜଣେ ବାଳକ ରଘୁନାଥ ବେହେରା ।
ଅତ୍ୟନ୍ତ ଗରିବ ପରିବାରରେ ଜନ୍ମିତ ରଘୁନାଥଙ୍କ ଜୀବନ ଆରମ୍ଭରୁ ସଂଘର୍ଷମୟ ଥିଲା । ବାପା ଦିନ ମଜୁରିଆ ଭାବରେ ପରିଶ୍ରମ କରି ପରିବାର ପୋଷନ୍ତି । ରଘୁନାଥଙ୍କ ଆଖି ସମସ୍ୟା ଯୋଗୁଁ ଅନ୍ୟମାନେ ତାଙ୍କୁ ଏକ ଭିନ୍ନକ୍ଷମ ବୋଲି ବିବେଚନା କରୁଥିଲେ । ସେ ତାହାକୁ ଚ୍ୟାଲେଞ୍ଜ ଭାବେ ନେବା ସହ ନିଟ୍ ଫଳାଫଳ ଘୋଷଣା କରାଗଲା, ସେତେବେଳେ ଏହା ରଘୁନାଥ ଓ ତାଙ୍କ ପରିବାର ପାଇଁ ଗୌରବର ବିଷୟ ଓ ଅନ୍ୟଙ୍କ ପାଇଁ ଉଦାହରଣ ହୋଇଥିଲା । ସେହିପରି କେଉଁଝର ଜିଲ୍ଲା ଚମ୍ପୁଆ ବସିରା ଗାଁର ଜୟନ୍ତ କୁମାର ପ୍ରଧାନ ମଧ୍ୟ ଅନ୍ୟଜଣେ ଛାତ୍ର । ତାଙ୍କ ବାପା ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ସେ ମଧ୍ୟ ଡାକ୍ତର ପାଇଁ ସ୍ୱପ୍ନ ଦେଖି ଜିନେ୍ଦଗି ଫାଉଣ୍ଡେସନ୍ ଜରିଆରେ ନିଜ ସ୍ୱପ୍ନ ପୂରଣ କରିଛନ୍ତି । ଅନ୍ୟଜଣେ ଛାତ୍ରୀ ହେଉଛନ୍ତି ସୋନାଲି ରାଉତ । ତାଙ୍କ ବାପା ମଧ୍ୟ ଦିନ ମଜୁରିଆ ଭାବେ ପରିବାର ପୋଷଣ କରିବା ସହ ତାଙ୍କୁ ଡାକ୍ତର କରାଇବାରେ ଜିନେ୍ଦଗି ଫାଉଣ୍ଡେସନ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେହିପରି ଝାଡ଼ଖଣ୍ଡର ଦେଓଘରର ମନୀଷ, କ୍ଷୁଦ୍ରଚାଷୀଙ୍କ ଝିଅ ଅଲିଭା ପ୍ରମୁଖ ଆଉ ଜଣେ ଜଣେ ଉଦାହରଣ ।