କେନ୍ଦ୍ରମନ୍ତ୍ରୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନ: ପ୍ରବାସୀ ଭାରତୀୟଙ୍କ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ପୂରଣ ହେବ

 ଭୁବନେଶ୍ୱର : ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୂତ୍ କରିବା ଲକ୍ଷ୍ୟରେ ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି  । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବିରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା  । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଟି ଦିଲ୍ଲୀ ଆବୁଧାବି କ୍ୟାମ୍ପସର ସମସାମୟିକ ରୂପରେଖ ଏବଂ ଭବିଷ୍ୟତରେ ଥିବା ଯୋଜନା ଉପରେ ଏକ ପ୍ରେଜେନଷ୍ଟେସନ ଉପସ୍ଥାପନ କରାଯାଇଥିଲା  । ସେଠାରେ ବିଦେଶରେ ପ୍ରଥମ ଥର ପାଇଁ ଏହି କ୍ୟାମ୍ପସ ପରିସରରେ ଅଟଳ ଇନକୁ୍ୟବେସନ୍ ସେଣ୍ଟର ଉଦଘାଟନ କରିବା ସଙ୍ଗେସଙ୍ଗେ ପିଏଚଡି ଏବଂ ବି.ଟେକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି  । ଏହି ଅବସରରେ ଶ୍ରୀ ପ୍ରଧାନ କ୍ୟାମ୍ପସର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିଥିଲେ  । କ୍ୟାମ୍ପସର ବିକାଶ କାର୍ଯ୍ୟକୁ ପ୍ରଶଂସା କରିବା ସହ  ସେ କହିଥିଲେ ଆବୁଧାବୀରେ ପ୍ରତିଷ୍ଠିତ ଏହି କ୍ୟାମ୍ପସ ଆଇଆଇଟି ଦିଲ୍ଲୀର ଐତିହ୍ୟକୁ ପ୍ରତିଫଳିତ କରିଛି  । ଜ୍ଞାନ ଓ ଗବେଷଣା ସହ ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା ସହଯୋଗୀର ଏକ ଲାଇଟହାଉସ ଭାବେ ଉଭା ହୋଇଛି  । ବୈଠକ କାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାରତୀୟ ବିଦ୍ୟାଳୟ ଗୁଡ଼ିକରେ ସ୍ଥାପିତ ଅଟଳ ଟିଙ୍କରିଂ ଲ୍ୟାବର ସଫଳତା ଉପରେ ମତ ରଖିଥିଲେ  । ଏହାସହ ୟୁଏଇରେ ଥିବା ଭାରତୀୟ ସ୍କୁଲ ଗୁଡ଼ିକରେ ଅଟଳ ଇନୋଭେସନ ଲ୍ୟାବର କ୍ରିୟାନ୍ୱୟନ ଉପରେ ମଧ୍ୟ ସେ କହିଥିଲେ  । ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ବ୍ୟାପକ କରିବା ସହ ପ୍ରବାସୀ ଭାରତୀୟମାନଙ୍କର ଶିକ୍ଷାଗତ ଆବଶ୍ୟକତା ପୂରଣ କରିବା ପାଇଁ ୟୁଏଇରେ ଅଧିକ ଭାରତୀୟ ପାଠ୍ୟକ୍ରମ-ଭିତ୍ତିକ ବିଦ୍ୟାଳୟ ଖୋଲିବା ଉପରେ ବିଚାରବିମର୍ଶ ହୋଇଥିଲା  । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଶିକ୍ଷା, ନବସୃଜନ ଏବଂ ଜ୍ଞାନ ଆଦାନପ୍ରଦାନରେ ସହଭାଗୀତାକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ୟୁଏଇର ପ୍ରମୁଖ ନେତୃତ୍ୱ, ମନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ଏବଂ ଭାରତ ଓ ୟୁଏଇ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  ।